--:--:--
-- ---
Srishti News

ଯୁବ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ: ଛାତ୍ରୀଙ୍କୁ ଅଶୋଭନୀୟ ଟିପ୍ପଣୀର ବିରୋଧ କରିବାରୁ ପ୍ରତିଶୋଧ ଅଭିଯୋଗ, ଜଣେ ଗିରଫ

Ganjam (ଗଞ୍ଜାମ)ଗଞ୍ଜାମ: ଖଲ୍ଲିକୋଟରୁ ଶିବରାମ ଜେନାSeptember 10, 202660 views
ଯୁବ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ: ଛାତ୍ରୀଙ୍କୁ ଅଶୋଭନୀୟ ଟିପ୍ପଣୀର ବିରୋଧ କରିବାରୁ ପ୍ରତିଶୋଧ ଅଭିଯୋଗ, ଜଣେ ଗିରଫ
ଗଞ୍ଜାମ, ଖଲ୍ଲିକୋଟ: ଜଣେ ଛାତ୍ରୀଙ୍କୁ କେତେକ ଯୁବକ ଅଶୋଭନୀୟ ଟିପ୍ପଣୀ ଦେବାକୁ ବିରୋଧ କରିବା ଜଣେ ଯୁବ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି। ଏହାକୁ କେନ୍ଦ୍ର କରି ଜଣେ ଯୁବକ କାଠ ବାଡ଼ିରେ ଶିକ୍ଷକଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଶିକ୍ଷକ ଗୁରୁତର ଆହତ ହୋଇ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବାଲୁକେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବେହେରାଙ୍କ ଲିଖିତ ଏତଲା ଆଧାରରେ ଖଲ୍ଲିକୋଟ ଥାନାରେ କେସ୍ ନଂ-୭୧୬, ତାରିଖ ୦୮.୦୯.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୨୬(୨)/୧୦୯(୧)/୧୩୨/୧୨୧(୧)/୧୨୧(୨) ଅନୁଯାୟୀ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖ ସକାଳ ପ୍ରାୟ ୯ଟା ୪୫ ମିନିଟ୍‌ ସମୟରେ ବିଦ୍ୟାଳୟର ଶିକ୍ଷକ ଭବାନୀ ପ୍ରସାଦ ଦାସ ବିଦ୍ୟାଳୟ ଫାଟକ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଜଣେ ଯୁବକ କାଠ ବାଡ଼ି ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ଶିକ୍ଷକ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ମୁଣ୍ଡରେ ଗୁରୁତର ଆଘାତ ହୋଇଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଘଟଣାର କିଛି ଦିନ ପୂର୍ବରୁ କେତେକ ଯୁବକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅଶୋଭନୀୟ ଟିପ୍ପଣୀ ଦେଉଥିଲେ। ଏହାକୁ ଶିକ୍ଷକ ଭବାନୀ ପ୍ରସାଦ ଦାସ ବିରୋଧ କରି ସମ୍ପୃକ୍ତ ଯୁବକମାନଙ୍କୁ ତାଗିଦ କରିଥିଲେ। ଏହାର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଶିକ୍ଷକଙ୍କ ଉପରେ ଆକ୍ରମଣ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ତୋଟାଗାଁର ବାଦଲ ପାହାନ (୧୯)ଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ କରି ମାନ୍ୟବର ଅଦାଲତକୁ ଚାଲାଣ କରିଛି। ଅନ୍ୟପକ୍ଷରେ ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।