--:--:--
-- ---
Srishti News

ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଓ ଧର୍ମପତ୍ନୀ ଗୁରୁତର ଆହତ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 10, 202694 views
ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଓ ଧର୍ମପତ୍ନୀ ଗୁରୁତର ଆହତ
ଧାମନଗର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଧାମନଗରର ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଗୁରୁତର ଆହତ ହୋଇଥିବା ଖବର ସାମ୍ବାଦିକ ମହଲ ସମେତ ଧାମନଗର ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ଓ ଚିନ୍ତା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ବାସୁଦେବ ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ବାଲେଶ୍ୱରରୁ ନିଜ କାର୍ଯ୍ୟ ସାରି କାର୍‌ ଯୋଗେ ଧାମନଗର ଫେରୁଥିଲେ। ଏହି ସମୟରେ ମଇଦାପୁର ନିକଟରେ ଆଗରେ ଯାଉଥିବା ଏକ ଟଲର ହଠାତ୍‌ ବ୍ରେକ୍‌ ମାରିଥିଲା। ଫଳରେ ପଛରେ ଆସୁଥିବା କାର୍‌ର ଚାଳକ ନିୟନ୍ତ୍ରଣ ହରାଇ ଟଲରର ପଛପଟେ ଧକ୍କା ଦେଇଥିଲେ। ଦୁର୍ଘଟଣାରେ କାର୍‌ରେ ଥିବା ବାସୁଦେବ ତ୍ରିପାଠୀ ଓ ତାଙ୍କ ଧର୍ମପତ୍ନୀ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବାସୁଦେବ ତ୍ରିପାଠୀଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସକଙ୍କ ପରାମର୍ଶକ୍ରମେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ପାଇଁ କଟକର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ବାସୁଦେବ ତ୍ରିପାଠୀଙ୍କ ଦୁର୍ଘଟଣା ଖବର ପ୍ରଚାର ହେବା ପରେ ଧାମନଗର ଅଞ୍ଚଳରେ ଶୋକ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ସେ ଓ ତାଙ୍କ ଧର୍ମପତ୍ନୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାମ୍ବାଦିକ ମହଲ, ବନ୍ଧୁବର୍ଗ ଓ ଶୁଭେଚ୍ଛୁମାନେ ପ୍ରାର୍ଥନା କରିଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଓ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବା ବାକି ରହିଛି।