ରୁଷିଆ ମାଟିରେ ଭାରତର ସ୍ୱର ହେଲେ କଳାହାଣ୍ଡି ମାଟିର ଝିଅ *ରୁଷିଆ ମାଟିରେ ଭାରତର ସ୍ୱର ହେବେ କଳାହାଣ୍ଡିର ଶୁଭଲକ୍ଷ୍ମୀ
Kalahandi (କଳାହାଣ୍ଡି)ରିତେଶ କୁମାର ମୁଣ୍ଡSeptember 10, 202668 views

*ଅନ୍ତର୍ଜାତୀୟ ଯୁବ ମହୋତ୍ସବ-୨୦୨୬ରେ ଭାରତକୁ ପ୍ରତିନିଧିତ୍ୱ ପାଇଁ ଆମନ୍ତ୍ରଣ*
କଳାହାଣ୍ଡି/ ଭବାନୀପାଟଣା :- କଳାହାଣ୍ଡିର ମାଟିରୁ ନିଜ ଯାତ୍ରା ଆରମ୍ଭ କରି ଏବେ ଅନ୍ତର୍ଜାତୀୟ ମଞ୍ଚରେ ଭାରତର ସ୍ୱର ହେବାକୁ ଯାଉଛନ୍ତି କଳାହାଣ୍ଡିର ଯୁବ ପ୍ରତିଭା ଶୁଭଲକ୍ଷ୍ମୀ ଦାସ। ରୁଷିଆର ଏକାଟେରିନବର୍ଗ-ଏକ୍ସପୋରେ ସେପ୍ଟେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୁବ ମହୋତ୍ସବ-୨୦୨୬ରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଶୁଭଲକ୍ଷ୍ମୀଙ୍କୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ ମିଳିଛି।
ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲକ୍ଷାଧିକ ଆବେଦନ ମଧ୍ୟରୁ ୧ ଲକ୍ଷ ୧୩ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ଶୁଭଲକ୍ଷ୍ମୀଙ୍କ ଚୟନ ତାଙ୍କ ପ୍ରତିଭା, ଦକ୍ଷତା ଓ ଚିନ୍ତନଶୀଳତାର ଏକ ଉଜ୍ଜ୍ୱଳ ପ୍ରମାଣ ବୋଲି ମନେ କରାଯାଉଛି।
ମହୋତ୍ସବରେ ଶୁଭଲକ୍ଷ୍ମୀ ‘ପ୍ରଗତି’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଉପସ୍ଥାପନ କରିବେ। ଭାରତ ଓ ରୁଷିଆ ମଧ୍ୟରେ ଯୁବ ସଂପୃକ୍ତି, ସାଂସ୍କୃତିକ ଆଦାନପ୍ରଦାନ ଓ ଲୋକ-ଲୋକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ପାରମ୍ପରିକ କୂଟନୈତିକ ସମ୍ପର୍କ ସହ ଯୁବ କୂଟନୀତି କିପରି ଦୁଇ ଦେଶ ମଧ୍ୟରେ ଏକ ସକାରାତ୍ମକ ଓ ଦୃଢ଼ ସେତୁ ନିର୍ମାଣ କରିପାରେ, ସେ ଦିଗରେ ମଧ୍ୟ ‘ପ୍ରଗତି’ ନୂଆ ଚିନ୍ତାର ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।
ଶୁଭଲକ୍ଷ୍ମୀଙ୍କ କହିବାନୁଯାୟୀ, ଏହି ସୁଯୋଗ ତାଙ୍କ ପାଇଁ କେବଳ ଭାରତର ପ୍ରତିନିଧିତ୍ୱ କରିବାର ଅବସର ନୁହେଁ; ବରଂ ଏଭଳି ଏକ ଯୁବପିଢ଼ିର ପ୍ରତିନିଧିତ୍ୱ, ଯିଏ ଆଲୋଚନା, ସଂସ୍କୃତି ଓ ପରସ୍ପର ବୁଝାମଣା ମାଧ୍ୟମରେ ବିଶ୍ୱର ଦେଶଗୁଡ଼ିକୁ ଆହୁରି ନିକଟତର କରିବାରେ ବିଶ୍ୱାସ କରେ। ‘ପ୍ରଗତି’ ମାଧ୍ୟମରେ ଭାରତ ଓ ରୁଷିଆ ମଧ୍ୟରେ ଯୁବପିଢ଼ି ଏକ ସାର୍ଥକ ସେତୁ ଭାବେ କାର୍ଯ୍ୟ କରିପାରିବ ବୋଲି ସେ ଆଶାବାଦୀ।
ଏହି ବିଶାଳ ଯୁବ ମହୋତ୍ସବରେ ପ୍ରଶାସନ, ଶିକ୍ଷା, ବିଜ୍ଞାନ, କଳା, ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରର ଯୁବ ନେତୃତ୍ୱ ଏକାଠି ହେବେ। ବିଶ୍ୱର ୧୯୧ଟି ଦେଶରୁ ପ୍ରାୟ ୧୦ ହଜାର ଯୁବ ପ୍ରତିନିଧି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଜିଲ୍ଲାସ୍ତରରୁ ନିଜ ଯାତ୍ରା ଆରମ୍ଭ କରି ବିଶ୍ୱମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିବାର ଏହି ସୁଯୋଗ କେବଳ ଶୁଭଲକ୍ଷ୍ମୀଙ୍କ ପାଇଁ ନୁହେଁ, ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ଗୌରବର ବିଷୟ। ତାଙ୍କର ଏହି ସଫଳତା ଅନେକ ଯୁବ ପ୍ରତିଭାଙ୍କୁ ନୂଆ ସ୍ୱପ୍ନ ଦେଖିବା ସହ ତାହାକୁ ସାକାର କରିବା ପାଇଁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ ପାଇଛି।
