ଏସଆଇଆର ଚାପରେ ଶିକ୍ଷକଙ୍କ ଆତ୍ମହତ୍ୟା
Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକSeptember 9, 202625 views

ଜଗତପୁର: ଏସଆଇଆର ଚାପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ଆଦରି ନେଇଥିବା ଭଳି ଏକ ଅଭାବନୀୟ ଘଟଣା ଜଗତପୁର ଅଞ୍ଚଳରେ ଦେଖିବାକୁ ମିଳିଛି l ମୃତ ଶିକ୍ଷକ ଜଣକ ଖଇରା ଇମାମନଗର ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରବୋଧ ଚରଣ ମହାପାତ୍ର (୫୧) l ମିଳିଥିବା ସୂଚନା ଅନୁଯାୟୀ ଏସଆଇଆର ଡ୍ୟୁଟି କରିବା ବେଳ ଠାରୁ ଶିକ୍ଷକ ଜଣକ ଚାପରେ ରହୁଥିଲେ l ବୁଧବାର ଦିନ ସକାଳୁ ସେ ତାଙ୍କ ଲକ୍ଷ୍ମଣପୁର ସ୍ଥିତ ବାସଭବନରେ ତାଙ୍କ ପତ୍ନୀ, ପୁତ୍ର ଓ ଝିଅଙ୍କୁ ତାଲା ଦେଇ ଆଜବେଷ୍ଟସ ରଡ଼ରେ ଝୁଲି ପଡ଼ିଥିଲେ l ଖବର ପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଇଛି l ଏସଆଇଆର କାମ ପାଇଁ ସେ ସର୍ବଦା ଚାପରେ ରହୁଥିଲେ ବୋଲି ସହକର୍ମୀମାନେ କହିଛନ୍ତି l ମୃତକ ଶିକ୍ଷକ ଲକ୍ଷ୍ମଣପୁର ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ l ଗତ ଦୁଇ ବର୍ଷ ତଳେ ସେ ଗ୍ରାଜୁଏଟ ଟିଚର ଭାବେ ପଦୋନ୍ନତି ପାଇ ଖଇରା ଇମାମ ନଗର ବିଦ୍ୟାଳୟକୁ ଆସିଥିଲେ l ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି l ତାଙ୍କ ଝିଅ ଦଶମରେ ପଢ଼ୁଥିବା ବେଳେ ପୁତ୍ର ୫ମ ଶ୍ରେଣୀରେ ପାଠ ପଢୁଛି l ସେ ନରସିଂହପୁରର ମୂଳ ବାସିନ୍ଦା ହୋଇଥିବା ବେଳେ ଜଗତପୁର ଲକ୍ଷ୍ମଣପୁରରେ ଘର କରି ରହୁଥିଲେ l ଜଗତପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l
