ମହାନଦୀ ହାଇସ୍କୁଲ ହଣ୍ଡପାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ହଣ୍ଡପା ,ଅନୁଗୋଳSeptember 9, 2026130 views

ହଣ୍ଡପା: ହଣ୍ଡପାସ୍ଥିତ ମହାନଦୀ ହାଇସ୍କୁଲ ପରିସରରେ ବିଶ୍ୱ ଯୁବ କେନ୍ଦ୍ର, ବାଣିନାଲି ପକ୍ଷରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ସଚେତନତାର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାପିଡ୍ ରାଉଣ୍ଡ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ବିଶ୍ୱ ଯୁବ କେନ୍ଦ୍ରର ସଭାପତି ବସନ୍ତ ପ୍ରଧାନ ଓ ସମ୍ପାଦକ ମନୋଜ କୁମାର ମହାପାତ୍ର ଯୋଗଦେଇ ସାକ୍ଷରତା ଦିବସର ଗୁରୁତ୍ୱ, ଶିକ୍ଷାର ଆବଶ୍ୟକତା ଓ ସାକ୍ଷରତାର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଏଥିସହ ଶିଶୁ ସୁରକ୍ଷା ଓ ଶିଶୁ ଅଧିକାର ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଜେନା, ଶିକ୍ଷକ ଦିଲୀପ କୁମାର ସାହୁଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ରର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନାରେ ସହଯୋଗ କରିଥିଲେ।
ଶିକ୍ଷାର ପ୍ରସାର, ସାକ୍ଷରତା ପ୍ରତି ସଚେତନତା ଏବଂ ଶିଶୁ ଅଧିକାର ସୁରକ୍ଷା ବାର୍ତ୍ତା ପହଞ୍ଚାଇବାରେ ଏହି କାର୍ଯ୍ୟକ୍ରମ ଏକ ସକାରାତ୍ମକ ପଦକ୍ଷେପ ହୋଇଥିଲା।
