ଆସିକା ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା: ବିଧାୟକଙ୍କ ଉପସ୍ଥିତିରେ ବିରୋଧୀଙ୍କ ହୋହଲ୍ଲା, ବିକାଶ କାର୍ଯ୍ୟ ଠପ୍ ନେଇ ଅଭିଯୋଗ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ୱତନ୍ତ୍ର ପ୍ରତିନିଧିSeptember 9, 202622 views

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ପଞ୍ଚାୟତ ସମିତି ବୈଠକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ଦିନ ପରେ ଅନୁଷ୍ଠିତ ଏହି ସମିତି ବୈଠକରେ ବିଧାୟକଙ୍କ ଉପସ୍ଥିତି ସତ୍ତ୍ୱେ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା ହୋଇଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ବୈଠକ ଆରମ୍ଭରୁ ହିଁ ବିଧାୟକ ଗୋଷ୍ଠୀ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା। ବିରୋଧୀ ଗୋଷ୍ଠୀର ସଦସ୍ୟମାନେ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ନେଇ ଗମ୍ଭୀର ଅଭିଯୋଗ ଆଣି ସଭାଗୃହରେ ହଙ୍ଗାମା କରିଥିଲେ।
ଅଭିଯୋଗ ଅନୁସାରେ, ବର୍ଷେରୁ ଊର୍ଦ୍ଧ୍ୱ ସମୟ ହେବ ପଞ୍ଚାୟତ ସମିତିର କୌଣସି ବୈଠକ ଡକାଯାଇ ନାହିଁ। ନିୟମିତ ବୈଠକ ଅଭାବରୁ ସ୍ଥାନୀୟ ଅଞ୍ଚଳର ଅନେକ ଜନହିତକର ଓ ଉନ୍ନୟନମୂଳକ ଯୋଜନା ଅଧାରେ ଅଟକି ରହିଛି ଏବଂ ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରଶ୍ନକୁ ନେଇ ବିରୋଧୀ ସଦସ୍ୟମାନେ ସରଗରମ ଆଲୋଚନା କରିବା ସହ ବୈଠକରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଚାଲିଥିବା ଏହି ପାଟିତୁଣ୍ଡ ଯୋଗୁଁ ବୈଠକର ମୂଳ କାର୍ଯ୍ୟସୂଚୀ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।
