ବୁଲେଟ୍ ରାଇଡରଙ୍କ ଉତ୍ପାତ ଉପରେ ପୋଲିସର ନଜର, ୧୦ ବାଇକ୍ ଜବତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାSeptember 9, 202692 views

ତାଳଚେର:ଗଣେଶ ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ବିକଟାଳ ଶବ୍ଦ କରୁଥିବା ବାଇକ୍ ବିରୋଧରେ ତାଳଚେର କୋଲିୟରୀ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଇଛି। ଛକ, ମାର୍କେଟ, ରାଜପଥ ସମେତ ବିଭିନ୍ନ ରାସ୍ତାରେ ଯାଞ୍ଚ କରି ପୋଲିସ ୧୦ଟି ବୁଲେଟ୍ ଜବତ କରିବା ସହ ମୋଟ ୬୭ ହଜାର ଟଙ୍କା ଫାଇନ ଆଦାୟ କରିଛି।
ବିଶେଷକରି ବୁଲେଟ୍ରେ ବିକଟାଳ ସାଇଲେନ୍ସର ଲଗାଇ ପ୍ରଚଣ୍ଡ ଶବ୍ଦ କରିବା ସହ ଅତ୍ୟଧିକ ହର୍ଣ୍ଣ ବଜାଇ ବଜାର ଅଞ୍ଚଳରେ ଯାତାୟାତ କରୁଥିବା ଅଭିଯୋଗ ହୋଇଆସୁଥିଲା। ଏହାଦ୍ୱାରା ବୃଦ୍ଧବୃଦ୍ଧା, ଛୋଟ ପିଲା ଓ ହୃଦରୋଗୀଙ୍କ ସମେତ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ବାରମ୍ବାର ଅଭିଯୋଗ ପରେ କୋଲିୟରୀ ପୋଲିସର ଏଭଳି ବ୍ୟାପକ ଚଢ଼ାଉକୁ ସାଧାରଣରେ ସ୍ୱାଗତ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ବିକଟାଳ ଶବ୍ଦ କରୁଥିବା ଯାନବାହନ ଉପରେ ଅଙ୍କୁଶ ଲାଗିବା ସହ ରାସ୍ତାରେ ଉତ୍ପାତ କରୁଥିବା ଯୁବକମାନେ ସାବାଡ଼ ହେବେ ବୋଲି ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଗତକାଲି ତାଳଚେର ଟାଉନ୍ ପୋଲିସ ପକ୍ଷରୁ ୧୨ଟି ବୁଲେଟ୍ ଜବତ କରାଯାଇଥିବା ବେଳେ ଆଜି କୋଲିୟରୀ ପୋଲିସ ପକ୍ଷରୁ ଆଉ ୧୦ଟି ବୁଲେଟ୍ ଜବତ କରାଯାଇଛି। ପୋଲିସର ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି।
