ଭତ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଜେଡି
Bargarh (ବରଗଡ଼)ସତ୍ୟସୁରୁଜାଲSeptember 8, 202626 views

ବରଗଡ଼, ୮/୯
ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ବିଭିନ୍ନ ଭତ୍ତା ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ବରଗଡ଼ରେ ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି।
ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ଗାନ୍ଧୀଛକରୁ ବିଜେଡି ନେତା ଓ କର୍ମୀମାନେ ଏକ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଭତ୍ତା ସମସ୍ୟାର ଶୀଘ୍ର ସମାଧାନ ଏବଂ ହିତାଧିକାରୀଙ୍କୁ ବକେୟା ଭତ୍ତା ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।
ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ପ୍ରାୟ ୪ ମାସ ହେବ ଅନେକ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ଅନ୍ୟାନ୍ୟ ହିତାଧିକାରୀ ଭତ୍ତା ପାଇନାହାନ୍ତି। ଫଳରେ ଭତ୍ତା ଉପରେ ନିର୍ଭରଶୀଳ ହିତାଧିକାରୀମାନେ ଅସୁବିଧାରେ ପଡ଼ୁଥିବା ଦଳ ପକ୍ଷରୁ କୁହାଯାଇଛି।
ଆଗକୁ ନୂଆଖାଇ ପର୍ବ ଥିବାରୁ ତା’ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବକେୟା ସହ ଭତ୍ତା ପ୍ରଦାନ କରିବା ଏବଂ ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସୁଚାରୁ ରୂପେ କରିବାକୁ ବିଜେଡି ଦାବି କରିଛି।
ଏହି କାର୍ଯ୍ୟକ୍ରମରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟିକା ରୀତା ସାହୁ, ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ବିଜେଡି କର୍ମୀ ଓ ଭତ୍ତା ହିତାଧିକାରୀ ଉପସ୍ଥିତ ରହିଥିଲେ।
