ତିନି ମାସ ପରେ ବି ମିଳିଲାନି ସମାଧାନ ସର୍ବସାଧାରଣ କେନାଲରେ ଡ୍ରେନେଜ୍ ପାଣି ଛାଡ଼ିବା ବନ୍ଦ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
Bargarh (ବରଗଡ଼)ସତ୍ୟ ସୁରୁଜଳSeptember 8, 202621 views

ବରଗଡ଼: ସର୍ବସାଧାରଣ କେନାଲରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ଓ ବିଭିନ୍ନ ସଂସ୍ଥାର ଅପଚାରିତ ଡ୍ରେନେଜ୍ ପାଣି ଛଡ଼ାଯାଉଥିବା ଅଭିଯୋଗକୁ ନେଇ ପୁଣିଥରେ ପ୍ରଶାସନର ଦ୍ୱାରସ୍ଥ ହୋଇଛି NSUI ବରଗଡ଼।
NSUI ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନାଲରେ ଡ୍ରେନେଜ୍ ପାଣି ଛାଡ଼ାଯିବା ଯୋଗୁଁ ଜଳ ପ୍ରଦୂଷଣ ବଢ଼ିବା ସହ ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଛି। ଏଥିସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
ସୂଚନା ଅନୁସାରେ, ଗତ ୨୦ ଜୁନ୍ ୨୦୨୬ ତାରିଖରେ ଏହି ସମସ୍ୟା ନେଇ କେନାଲ ସର୍କଲ, ବରଗଡ଼ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ NSUI ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ହେଲେ ସ୍ମାରକପତ୍ର ଦେବାର ପ୍ରାୟ ତିନି ମାସ ପରେ ମଧ୍ୟ ଅଭିଯୋଗ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଆଜି NSUI ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। କେନାଲରେ ଅଶୋଧିତ ଡ୍ରେନେଜ୍ ପାଣି ଛାଡ଼ୁଥିବା ବ୍ୟକ୍ତି ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ତଦନ୍ତ କରାଯିବା ସହ ଆବଶ୍ୟକ ହେଲେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।
NSUIର ଦାବି ଅନୁଯାୟୀ, କେନାଲ ଭଳି ସର୍ବସାଧାରଣ ଜଳପଥରେ ଅପଚାରିତ ଡ୍ରେନେଜ୍ ପାଣି ଛାଡ଼ିବା ଫଳରେ ଜଳର ଗୁଣବତ୍ତା ଓ ପରିବେଶ ଉଭୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ଭବିଷ୍ୟତରେ ଏଭଳି ଭାବେ ଡ୍ରେନେଜ୍ ପାଣି ନ ଛଡ଼ାଯିବା ପାଇଁ ନିୟମିତ ନଜରଦାରି ବ୍ୟବସ୍ଥା କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।
ଏହି ସମ୍ପର୍କରେ NSUI ବରଗଡ଼ର ଗୌରବ ପତି (ଆଜାଦ) ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

