ଗଣୁଆ PRFରେ ବେଆଇନ ଖଣିଜ ଉତ୍ତୋଳନ ଅଭିଯୋଗରେ ୨୧ ବର୍ଷୀୟ ଯୁବକ ଗିରଫ
Sundargarh (ସୁନ୍ଦରଗଡ଼)ବଣାଇରୁ ସୌମ୍ୟବ୍ରତ ଦଳବେହେରାଙ୍କ ରିପୋର୍ଟSeptember 8, 202635 views

ବଣାଇ, ୮/୯: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବନାଞ୍ଚଳ ଅଧୀନ ଗଣୁଆ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (PRF) ଅଞ୍ଚଳରେ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ଅଭିଯୋଗରେ ବନ ବିଭାଗ ଜଣେ ଯୁବକଙ୍କୁ ଗିରଫ କରିଛି।
ବନ ବିଭାଗର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୬ ତାରିଖରେ କୋଇଡା ବନାଞ୍ଚଳ ଅଧୀନ ଗଣୁଆ PRF ଅଞ୍ଚଳରେ ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କିଛି ବ୍ୟକ୍ତି ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା କର୍ମଚାରୀମାନେ ଦେଖିଥିଲେ।
ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ଅଧିକାଂଶ ବ୍ୟକ୍ତି ବିଭିନ୍ନ ଦିଗକୁ ଦୌଡ଼ି ପଳାଇଥିଲେ। ତେବେ ବନ କର୍ମଚାରୀମାନେ ପିଛା କରି ଜଣେ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଧରାପଡ଼ିଥିବା ଯୁବକ ଜଣକ ସନାତନ ପୂର୍ତ୍ତି (୨୧) ବୋଲି ବଣାଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବେଆଇନ ଖଣି ଖନନ ଓ ଖଣିଜ ଉତ୍ତୋଳନ ଉପରେ ରୋକ ଲଗାଇବା ପାଇଁ ଗଣୁଆ PRF ସମେତ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଯାଞ୍ଚ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
