--:--:--
-- ---
Srishti News

୫ ମାସ ହେଲା ପାଣି ବନ୍ଦ, ରାସ୍ତାକଡ଼ର ପାନୀୟ ଜଳ ବ୍ୟବସ୍ଥା ଅଚଳ

Bargarh (ବରଗଡ଼)Reports: Satya SurujalSeptember 7, 202627 views
୫ ମାସ ହେଲା ପାଣି ବନ୍ଦ, ରାସ୍ତାକଡ଼ର ପାନୀୟ ଜଳ ବ୍ୟବସ୍ଥା ଅଚଳ
ଭେଡେନ, ୭/୯: ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାର୍ଶ୍ୱରେ ରାସ୍ତାକଡ଼ରେ ସ୍ଥାପିତ ପାନୀୟ ଜଳ ବ୍ୟବସ୍ଥା ଦୀର୍ଘ ୫ ମାସ ଧରି ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଏହି ରାସ୍ତା ଦେଇ ବହୁ ସଂଖ୍ୟକ ଲୋକ ଯାତାୟାତ କରୁଥିବା ବେଳେ, ସେମାନଙ୍କ ସୁବିଧା ପାଇଁ ସ୍ଥାପିତ ଟ୍ୟାପ୍‌ରୁ ଦୀର୍ଘଦିନ ହେଲା ପାଣି ଆସୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିଶେଷକରି ଗ୍ରୀଷ୍ମ ଦିନରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଓ ସାଧାରଣ ଲୋକେ ଏହି ପାନୀୟ ଜଳ ବ୍ୟବସ୍ଥା ଉପରେ ନିର୍ଭର କରୁଥିଲେ। ହେଲେ ପ୍ରାୟ ୫ ମାସ ଧରି ଏହା ବନ୍ଦ ରହିଥିବାରୁ ଲୋକେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନ ନିକଟରେ ପାନୀୟ ଜଳ ବ୍ୟବସ୍ଥା ଏତେ ଦିନ ଧରି ଅଚଳ ରହିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ତେଣୁ ଅଚଳ ହୋଇଥିବା ପାନୀୟ ଜଳ ବ୍ୟବସ୍ଥାର ତୁରନ୍ତ ମରାମତି କରି ପୁନର୍ବାର ଚାଲୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୫ ମାସ ଧରି ବନ୍ଦ ଥିବା ଏହି ଜନସୁବିଧା ବ୍ୟବସ୍ଥା ପ୍ରତି ପ୍ରଶାସନ କେବେ ଦୃଷ୍ଟି ଦେଉଛି, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷାରେ ରହିଛନ୍ତି।