ସ୍ଵାଧୀନ ନ୍ୟାୟପାଳିକା ଓ ଗଣମାଧ୍ୟମ ବିନା ଗଣତନ୍ତ୍ରର ପ୍ରଗତି ଅସମ୍ଭବ: ନିତିନ ଗଡ଼କରୀ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର , ସ୍ୱତନ୍ତ୍ର ପ୍ରତିନିଧିSeptember 7, 202637 views

ନାଗପୁର: ଗଣତନ୍ତ୍ରର ପ୍ରଗତି ଓ ବିକାଶ ପାଇଁ ସ୍ଵାଧୀନ ନ୍ୟାୟପାଳିକା ଏବଂ ନିରପେକ୍ଷ ଗଣମାଧ୍ୟମ ଅତ୍ୟନ୍ତ ଆବଶ୍ୟକ। ଶନିବାର ଆଇଆଇଏମ ନାଗପୁର (IIM Nagpur) ମିଡିଆ କନକ୍ଲେଭ-୨୦୨୬ରେ ‘ମିଡିଆ, ଲିଡରସିପ୍ ଆଣ୍ଡ ଦ ଦି ନ୍ୟୁ ୱାର୍ଲ୍ଡ ଅର୍ଡର’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଏହା କହିଛନ୍ତି। ଏହାସହ ସାମ୍ପ୍ରତିକ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସନୀୟତାର ସଙ୍କଟ ଦେଖାଦେଇଥିଲେ ହେଁ, ଗଣମାଧ୍ୟମ କ୍ଷେତ୍ରରେ ଏହି ସଙ୍କଟ ସବୁଠାରୁ ଗମ୍ଭୀର ରୂପ ନେଇଛି ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।
ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି ଯେ, "ଭାରତ ହେଉଛି ଗଣତନ୍ତ୍ରର ଜନନୀ ଏବଂ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର। ସମ୍ବିଧାନରେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମର ଦାୟିତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଗଣତନ୍ତ୍ରକୁ ଆଗକୁ ନେବା ପାଇଁ ସ୍ଵାଧୀନ, ନିରପେକ୍ଷ ନ୍ୟାୟପାଳିକା ଏବଂ ଗଣମାଧ୍ୟମ ଅପରିହାର୍ଯ୍ୟ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ରାଜନୀତି ଓ ରାଜନୈତିକ ଦଳଗୁଡ଼ିକ ଶକ୍ତିର ମୁଖ୍ୟ ଉତ୍ସ। ବିଚାରଧାରାରେ ଭିନ୍ନତା ବା ମତଭେଦ ଥାଇପାରେ, କିନ୍ତୁ ନିଜ ନୀତି ଓ ନିଷ୍ଠା ପ୍ରତି ସମର୍ପଣ ଭାବ ରହିବା ଆବଶ୍ୟକ। ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ମୁଦ୍ଦା ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ।
୨୧ଶ ଶତାବ୍ଦୀରେ ସବୁ କ୍ଷେତ୍ର ପାଇଁ ବିଶ୍ୱସନୀୟତା, ସୁନାମ ଓ ସତୋଟତା ହିଁ ସବୁଠାରୁ ବଡ଼ ପୁଞ୍ଜି। ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ବିଶ୍ୱସନୀୟତା ହ୍ରାସ ପାଇଥିଲେ ବି ଗଣମାଧ୍ୟମରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ସବୁ ଗଣମାଧ୍ୟମ ସଂସ୍ଥା ନିଜର ଆସ୍ଥା ହରାଇନାହାନ୍ତି। ପୂର୍ବରୁ ସମ୍ବାଦପତ୍ର ଓ ମିଡିଆ ହାଉସ ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରୁଥିଲେ, କିନ୍ତୁ ଏବେ ସୋସିଆଲ ମିଡିଆ ଏହି ଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ତେଣୁ ନିଜର ହରାଇଥିବା ବିଶ୍ୱସନୀୟତାକୁ ଫେରାଇ ଆଣିବା ପାଇଁ ଗଣମାଧ୍ୟମ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ଯାହାର ବିଶ୍ୱସନୀୟତା ରହିଛି, ତାକୁ ନିଜର ମାର୍କେଟିଂ ବା ପ୍ରଚାର କରିବାକୁ ପଡ଼ିନଥାଏ ବୋଲି ସେ ପ୍ରକାଶ କରିଛନ୍ତି।
