--:--:--
-- ---
Srishti News

ଗଣେଶ ପୂଜା ପାଇଁ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁSeptember 6, 202653 views
ଗଣେଶ ପୂଜା ପାଇଁ ଜୋରସୋରରେ ଚାଲିଛି ମୂର୍ତ୍ତି ନିର୍ମାଣ କାର୍ଯ୍ୟ
ଆଉ ଦିନ କେଇଟା ପରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଜାନନ। ଏଥିପାଇଁ ମୂର୍ତ୍ତି କାରିଗରମାନଙ୍କ ହାତକୁ ନାହିଁ ନିସ୍ତାର। ଦିନରାତି ଏକ କରି ଗଣେଶ ମୂର୍ତ୍ତି ନିର୍ମାଣରେ ଲାଗିପଡ଼ିଛନ୍ତି କାରିଗରମାନେ। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଅଧୀନ ଦକ୍ଷିଣବଡ଼ ଗ୍ରାମର ଶରତ କୁମାର ବାରିକ ଜଣେ ଦକ୍ଷ ମୂର୍ତ୍ତି କାରିଗର। ପ୍ରାୟ ୨୫ ବର୍ଷ ଧରି ସେ ଏହି କାର୍ଯ୍ୟ ସହ ଜଡ଼ିତ ଅଛନ୍ତି। ଏକ କାରିଗର ପରିବାରରୁ ଆସିଥିବା ଶରତ ନିଜ ବାପାଙ୍କଠାରୁ ମୂର୍ତ୍ତି ନିର୍ମାଣ କଳା ଶିଖିଥିଲେ। ତାଙ୍କ ବାପା ମଧ୍ୟ ଦୀର୍ଘଦିନ ଧରି ମୂର୍ତ୍ତି ନିର୍ମାଣ କରିଆସୁଥିଲେ। ବାପାଙ୍କଠାରୁ ଶିଖିଥିବା କଳାକୁ ଆଜି ନିଜ ଦକ୍ଷତାରେ ଆହୁରି ନିଖୁଣ କରିଛନ୍ତି ଶରତ। ଚଳିତ ବର୍ଷ ମାତ୍ର ଦୁଇ ମାସ ମଧ୍ୟରେ ପ୍ରାୟ ୪୬ଟି ଗଣେଶ ମୂର୍ତ୍ତି ନିର୍ମାଣ କରିଥିବା ସେ କହିଛନ୍ତି। ମୂର୍ତ୍ତି ନିର୍ମାଣରେ ଦିନରାତି ପରିଶ୍ରମ କରୁଥିବା ଶରତଙ୍କ କାରିଗରୀକୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଭଲ ପ୍ରଶଂସା ମିଳୁଛି। ତେବେ ଆର୍ଥିକ ସହାୟତା ଅଭାବ ତାଙ୍କ ପାଇଁ ଏକ ବଡ଼ ସମସ୍ୟା। ପ୍ରଶାସନ ପକ୍ଷରୁ ଯଦି କିଛି ସହାୟତା ମିଳିପାରନ୍ତା, ତେବେ ଆହୁରି ଉନ୍ନତ ଓ ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ କରିପାରିଥାନ୍ତେ ବୋଲି ଶରତ କୁମାର ବାରିକ ଆଶା ପ୍ରକାଶ କରିଛନ୍ତି। ଗଣେଶ ପୂଜାକୁ ନେଇ ଚାରିଆଡ଼େ ଉତ୍ସାହ ବଢ଼ୁଥିବା ବେଳେ ଏହିଭଳି କାରିଗରମାନଙ୍କ ହାତର କଳା ହିଁ ପୂଜାମଣ୍ଡପକୁ ଦେଉଛି ନୂଆ ରୂପ। ପ୍ରଶାସନର ସହଯୋଗ ମିଳିଲେ ଏହି ପାରମ୍ପରିକ କଳା ଆହୁରି ସମୃଦ୍ଧ ହୋଇପାରିବ।