--:--:--
-- ---
Srishti News

ବ୍ରହ୍ମପୁର: ମେଡିକାଲ କଲେଜ କ୍ୟାମ୍ପସରୁ ରହସ୍ୟଜନକ ଭାବେ ନିଖୋଜ ହେଲେ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗରSeptember 3, 202629 views
ବ୍ରହ୍ମପୁର: ମେଡିକାଲ କଲେଜ କ୍ୟାମ୍ପସରୁ ରହସ୍ୟଜନକ ଭାବେ ନିଖୋଜ ହେଲେ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର
ବ୍ରହ୍ମପୁରସ୍ଥିତ ପ୍ରସିଦ୍ଧ ଏମକେସିଜି (MKCG) ମେଡିକାଲ କଲେଜରୁ ଜଣେ ପ୍ରଥମ ବର୍ଷର MBBS ଛାତ୍ର ରହସ୍ୟଜନକ ଭାବେ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଛାତ୍ରଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ। ଗତ ଅଗଷ୍ଟ ୩୧ ତାରିଖଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ। ସୂଚନା ଅନୁସାରେ, ସାଗର ମେଡିକାଲ କଲେଜର ଦୁଇଟି ପରୀକ୍ଷା ଦେଇଥିଲେ। ଗତ ସୋମବାର ଫିଜିଓଲୋଜି ପରୀକ୍ଷା ଚାଲିଥିବା ସମୟରେ ସେ ପରୀକ୍ଷା ହଲ୍ ବାହାରକୁ ଆସିବା ପରେ ଆଉ ହଷ୍ଟେଲକୁ ଫେରିନଥିଲେ। କଲେଜ କର୍ତ୍ତୃପକ୍ଷ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏହାପରେ କଲେଜର ଡିନ୍‌ଙ୍କ ଅଭିଯୋଗ ଆଧାରରେ ବୈଦ୍ୟନାଥପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ପୋଲିସ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ସାଗରଙ୍କ ମୋବାଇଲ୍ ଫୋନ୍ ଉଦ୍ଧାର କରିଛି। ସେ ଶେଷ ଥର ପାଇଁ ଏକ ଧଳା ସାର୍ଟ ପିନ୍ଧିଥିବା ଏବଂ କଲେଜ ବ୍ୟାଗ୍ ଧରିଥିବା ଜଣାପଡ଼ିଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ରେଳଷ୍ଟେସନ ଏବଂ କ୍ୟାମ୍ପସ ଆଖପାଖର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ସାଗରଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚରା କରୁଛି। ଅନ୍ୟପଟେ ପୁଅର ନିଖୋଜ ଖବର ପାଇ ପରିବାର ଲୋକେ ଗଭୀର ମାନସିକ ଚିନ୍ତାରେ ଅଛନ୍ତି।