--:--:--
-- ---
Srishti News

ପ୍ରେମ ପ୍ରତ୍ୟାଖ୍ୟାନରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକSeptember 1, 202617 views
ପ୍ରେମ ପ୍ରତ୍ୟାଖ୍ୟାନରୁ ମହାନଦୀକୁ ଡେଇଁ ଯୁବକ ନିଖୋଜ
ଜଗତପୁର:ପ୍ରେମିକା ଠାରୁ ପ୍ରତ୍ୟାଖ୍ୟାତ ହେବା ପରେ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜଥିବା ଜଣାପଡିଛି l ନିଖୋଜ ଯୁବକ ଜଣକ ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ସୁବାଶିଷ ଲେଙ୍କା (୨୮) l ଖବର ପାଇ ଜଗତପୁର ପୁଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିନାହିଁ l ରାତ୍ରି ହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି l ମିଳିଥିବା ସୂଚନା ଅନୁଯାୟୀ ସୁବାଶିଷ ମଙ୍ଗଳବାର ଦିନ ପ୍ରାୟ ୩ଟା ବେଳେ ଶିଖରପୁର ପାର୍ଶ୍ୱ ମହାନଦୀ ସେତୁ ଉପରେ ତାଙ୍କ ବାଇକ (ଓଡି ୩୩ - ୧୩୦୧) ଓ ବ୍ୟାଗ ରଖି ମହାନଦୀକୁ ଡେଇଁ ଥିଲେ l କିଛି ପ୍ରତ୍ୟକ୍ଷ ଦର୍ଶୀ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ l ପୁଲିସ ଘଟଣା ସ୍ଥଳରେ ଥିବା ବାଇକ ଓ ବ୍ୟାଗରୁ ଆଧାର କାର୍ଡ ଓ ପରିଚୟ ପତ୍ର ପାଇ ତାଙ୍କ ପରିବାରକୁ ଖବର ଦେଇଥିଲେ l ତାଙ୍କ ମା' ପହଞ୍ଚିବା ପରେ ତାଙ୍କ ପୁତ୍ର ବର୍ଷେ ଦୁଇ ବର୍ଷ ହେବ ମାନସିକ ଚିନ୍ତାରେ ରହୁଥିବା କହିଥିଲେ l ଆଜି ପ୍ରାୟ ଗୋଟାଏ ବେଳେ ସେ ତାଙ୍କ ପୁତ୍ର ସହ ଫୋନରେ କଥା ହୋଇଥିଲେ ଓ ସେ କିଛି ସମୟ ପରେ ଖାଇବାକୁ ଯିବାକୁ କହିଥିଲେ l ସୁବାଶିଷ ପୂର୍ବରୁ ଜ୍ୟୋତି ମୋଟର୍ସରେ କାର୍ଯ୍ୟ କରୁଥିବା ସମୟରେ ସେଠାରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହି ସମ୍ପର୍କ ପ୍ରାୟ ୯ ବର୍ଷର l ପରେ ସେଠାରୁ ଚାକିରୀ ଛାଡି ସେ ଆନ୍ଧ୍ରା ବିଇଡି କରିଥିଲେ l ବିଏସସି, ବିଇଡି ହୋଇଥିଲେ ମଧ୍ୟ କୌଣସି ଚାକିରୀ ପାଇ ନଥିଲେ l ଚାକିରୀ ନପାଇ ବେକାର ଥିବାରୁ ସମ୍ପୃକ୍ତ ଯୁବତୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା ଓ ସେଥିପାଇଁ ସେ ମାନସିକ ଚିନ୍ତାରେ ରହୁଥିଲା ବୋଲି ତାଙ୍କ ମା' କହିଛନ୍ତି l ସେଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛି ବୋଲି ତାଙ୍କ ମା' ଅଭିଯୋଗ କରିଛନ୍ତି l ଯୁବକଙ୍କ ପିତା ଜଣେ ଏଲଆଇସି ଏଜେଣ୍ଟ l ଆସନ୍ତା କାଲି ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି l