--:--:--
-- ---
Srishti News

ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଦାବି

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧାSeptember 1, 202649 views
ଧାନ ପଞ୍ଜିକରଣ ଅବଧି ବୃଦ୍ଧି ଦାବି
ଟାଙ୍ଗୀ: ୩୧/୦୮ ଚଳିତ ୨୦୨୬-୨୭ ଖରିଫ ଋତୁର ଧାନ ମଣ୍ଡିରେ ବିକ୍ରି କରିବା ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ ୩୧ ଧାର୍ଯ୍ୟ କରାଯାଇଛି। ଏହି ସମୟସୀମା ମଧ୍ୟରେ ଚାଷୀମାନେ ନିଜ ନିକଟସ୍ଥ ସମବାୟ ସମିତି କିମ୍ବା ପାକ୍ସରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ତେବେ ପଞ୍ଜିକରଣର ଶେଷ ଦିନରେ ମଧ୍ୟ ଅନେକ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସମବାୟ ସମିତିରେ ଏପର୍ଯ୍ୟନ୍ତ ପ୍ରାୟ ୧୩୦ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଜଣେ ଜଣେ ଚାଷୀଙ୍କ ଧାନ ଜମି ସମ୍ପର୍କିତ ତଥ୍ୟ ପଞ୍ଜିକରଣ କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗୁଥିବାରୁ ପଞ୍ଜିକରଣ ପ୍ରକ୍ରିୟା ଧୀର ଗତିରେ ଚାଲୁଥିବା କୁହାଯାଉଛି। ଅନ୍ୟପକ୍ଷରେ, ପଞ୍ଜିକରଣ ପାଇଁ ବହୁ ସଂଖ୍ୟକ ଚାଷୀ ସମବାୟ ସମିତି ନିକଟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ ମଧ୍ୟ ସମୟ ଅଭାବରୁ ଅନେକେ ନିରାଶ ହୋଇ ଘରକୁ ଫେରୁଥିବା ଦେଖାଯାଇଛି। ପଞ୍ଜିକରଣ ପ୍ରକ୍ରିୟାରେ ସଫ୍ଟୱେର୍‌ ସମସ୍ୟା ସହିତ ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ଭାବେ କାର୍ଯ୍ୟ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଚାଷୀମାନେ କହିଛନ୍ତି। ଧାନ ବିକ୍ରି ପାଇଁ ପଞ୍ଜିକରଣ କରିପାରିନଥିବା ଚାଷୀମାନେ ଯେପରି ସରକାରୀ ମଣ୍ଡି ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ଘଟଣାର ଗୁରୁତ୍ୱକୁ ବିଚାର କରି ପଞ୍ଜିକରଣ ଅବଧି ଆଉ କିଛି ଦିନ ବୃଦ୍ଧି କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।