--:--:--
-- ---
Srishti News

ନିଅନ୍ତୁ ଅବସର ନନ୍ଦ ସାର୍… କିନ୍ତୁ ଆସୁଥିବେ, ଯାଉଥିବେ… ଆମ ସ୍କୁଲକୁ, ଆମ ହୃଦୟକୁ

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 31, 202661 views
ନିଅନ୍ତୁ ଅବସର ନନ୍ଦ ସାର୍… କିନ୍ତୁ ଆସୁଥିବେ, ଯାଉଥିବେ… ଆମ ସ୍କୁଲକୁ, ଆମ ହୃଦୟକୁ
ଅବସର ଥିଲା, ହେଲେ ପରିବେଶ ଥିଲା ଉତ୍ସବମୁଖର। ଡିଜେ ବାଜୁଥିଲା, ବାଣ ଫୁଟୁଥିଲା, ଢୋଲ-ମହୁରୀରେ ଦୁଲୁଥିଲା ପରିବେଶ। ହଣ୍ଡା ବସିଥିଲା, ଭୋଜିଭାତର ଆୟୋଜନ ହୋଇଥିଲା। କିନ୍ତୁ ଏହି ଖୁସିର ମାହୋଲ ଭିତରେ ଲୁଚିଥିଲା ଏକ ଅସରା ଦୁଃଖ… ଛାତ୍ରଛାତ୍ରୀଙ୍କ ଆଖିରୁ ଝରୁଥିଲା ଲୁହ। କାରଣ, ସେମାନଙ୍କ ପ୍ରିୟ ନନ୍ଦ ସାର୍ ଆଜି ବିଦ୍ୟାଳୟରୁ ନେଉଥିଲେ ଅବସର। ଭଦ୍ରକ ଜିଲ୍ଲା ଧାମନଗର ଶିକ୍ଷାମଣ୍ଡଳ ଅଧୀନସ୍ଥ ଡିହଭଟ୍ଟସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ଶ୍ରୀ ନନ୍ଦ କିଶୋର ଦଳାଇଙ୍କ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା ସଭା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମରଣୀୟ କାର୍ଯ୍ୟକ୍ରମର ଆରମ୍ଭରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନନ୍ଦ ସାରଙ୍କ କର୍ତ୍ତବ୍ୟନିଷ୍ଠା, ଦକ୍ଷତା, ମିଷ୍ଟଭାଷୀ ସ୍ୱଭାବ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଆତ୍ମୀୟତାକୁ ସ୍ମରଣ କରିଥିଲେ। ତେବେ ନନ୍ଦ ସାରଙ୍କ ଅବସରକୁ ଆହୁରି ସ୍ୱତନ୍ତ୍ର କରିଥିଲା ଏକ ଭାବପ୍ରବଣ ଘଟଣା। ଯେଉଁ ବିଦ୍ୟାଳୟରେ ସେ ନିଜେ ପାଠ ପଢ଼ିଥିଲେ, ସେହି ବିଦ୍ୟାଳୟରେ ହିଁ ଶିକ୍ଷକ ହୋଇଥିଲେ… ଆଉ ଶେଷରେ ସେହି ବିଦ୍ୟାଳୟରୁ ହିଁ ନେଲେ ଅବସର। ଏହା କେବଳ ଏକ ଚାକିରିର ଶେଷ ନୁହେଁ, ଏହା ଥିଲା ଏକ ଦୀର୍ଘ ଶିକ୍ଷାଦାନ ଯାତ୍ରାର ଭାବପ୍ରବଣ ପରିସମାପ୍ତି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶିକ୍ଷା ଅଧିକାରୀ ଶ୍ରୀଚରଣ ମଲ୍ଲିକ, ଭଟ୍ଟସାହି ପଞ୍ଚାୟତର ସରପଞ୍ଚ ଶ୍ରୀ ଶୀତାକାନ୍ତ ମିଶ୍ର, ସମାଜସେବୀ ଶ୍ରୀ ଦୟାନିଧି ମିଶ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ କମଳାକାନ୍ତ ମିଶ୍ରଙ୍କ ସମେତ ଗ୍ରାମବାସୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉତ୍ସବ ଥିଲା ଖୁସିର, କିନ୍ତୁ ଆଖିରେ ଥିଲା ଲୁହ। ବିଦାୟ ଥିଲା ଶିକ୍ଷକଙ୍କର, କିନ୍ତୁ ସ୍ମୃତି ରହିଗଲା ଚିରଦିନ ପାଇଁ। ନନ୍ଦ ସାର୍ ଅବସର ନେଇଛନ୍ତି… ହେଲେ ତାଙ୍କ ଶିକ୍ଷା, ତାଙ୍କ ସ୍ନେହ ଏବଂ ତାଙ୍କ ସ୍ମୃତି ଏହି ବିଦ୍ୟାଳୟର ପ୍ରତିଟି କୋଣରେ ସବୁଦିନ ଜୀବନ୍ତ ରହିବ।