--:--:--
-- ---
Srishti News

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ; ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟ ସମ୍ବର୍ଦ୍ଧିତ

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 31, 202655 views
ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ;  ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟ ସମ୍ବର୍ଦ୍ଧିତ
ଖୋର୍ଦ୍ଧା, : ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ଅବଦାନ, ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ଜନସାଧାରଣଙ୍କ ସମସ୍ୟାକୁ ସମ୍ବାଦ ମାଧ୍ୟମରେ ଲୋକଲୋଚନକୁ ଆଣିବାରେ ଭୂମିକା ପାଇଁ ଦୈନିକ ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରଞ୍ଜିତ କେ.ଏନ୍. ସାମନ୍ତରାୟଙ୍କୁ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧା ଜୟୀ ରାଜଗୁରୁ ଟାଉନ୍ ହଲ୍‌ଠାରେ ପୌର ପରିଷଦ ପକ୍ଷରୁ ଆୟୋଜିତ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ସମାରୋହରେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି ଏବଂ ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାମନ୍ତରାୟଙ୍କୁ ଉତ୍ତରୀୟ ପ୍ରଦାନ କରିବା ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ତାଙ୍କର ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଦୀର୍ଘଦିନର ସେବାକୁ ସମାରୋହରେ ପ୍ରଶଂସା କରାଯାଇଥିଲା।ସାମ୍ବାଦିକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଶ୍ରୀ ସାମନ୍ତରାୟ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତମହାବିଦ୍ୟାଳୟରୁ ସ୍ନାତକ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱରସ୍ଥିତ କେ.ଏମ୍.ଏସ୍.ରୁ ସାମ୍ବାଦିକତା ଓ ଗଣଯୋଗାଯୋଗରେ ଡ଼ିଗ୍ରୀ ହାସଲ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ସାମ୍ବାଦିକତା କ୍ଷେତ୍ରରେ ପାଦ ରଖିଥିଲେ ଏବଂ ନିଜର ପ୍ରତିଭା, ପରିଶ୍ରମ ଓ ନିଷ୍ଠା ବଳରେ ଏହି କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି।ସାମ୍ବାଦିକତା ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ନିତିଦିନ’ରେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ପ୍ରସଙ୍ଗ, ଜନ ସମସ୍ୟା, ପ୍ରଶାସନିକ ଘଟଣା ଓ ସାମାଜିକ ପ୍ରସଙ୍ଗ ସମ୍ପର୍କିତ ଖବର ପରିବେଷଣ କରି ଅଭିଜ୍ଞତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଦୈନିକ ହିନ୍ଦୀ ସମ୍ବାଦପତ୍ର ‘ନବଭାରତ’ରେ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏଥିସହ ୨୦୨୦ ମସିହାରୁ ସେ ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସକାଳ’ର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଘଟୁଥିବା ଘଟଣାବଳୀ, ପ୍ରଶାସନିକ ନିଷ୍ପତ୍ତି, ସରକାରୀ ଯୋଜନା, ବିକାଶମୂଳକ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ଆଇନଶୃଙ୍ଖଳା ଓ ସାମାଜିକ କ୍ଷେତ୍ରର ବିଭିନ୍ନ ଖବରକୁ ସେ ନିୟମିତ ଭାବେ ସମ୍ବାଦପତ୍ରରେ ପ୍ରକାଶ କରିଆସୁଛନ୍ତି।ବିଶେଷକରି ତୃଣମୂଳ ସ୍ତରରେ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଅଭାବ-ଅସୁବିଧାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ତାଙ୍କର ଖବରଗୁଡ଼ିକ ଗୁରୁତ୍ୱ ବହନ କରିଆସିଛି। ସମ୍ବାଦପତ୍ର କେବଳ ଘଟଣାର ବିବରଣୀ ପ୍ରଦାନ କରିବାର ମାଧ୍ୟମ ନୁହେଁ, ବରଂ ଏହା ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରେ—ଏହି ଦୃଷ୍ଟିକୋଣକୁ ନେଇ ସେ ନିଜର ସାମ୍ବାଦିକତା ଜାରି ରଖିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ଶ୍ରୀ ସାମନ୍ତରାୟ ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଜ କାର୍ଯ୍ୟ ପ୍ରତି ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା ଓ ନିରନ୍ତର ଖବର ସଂଗ୍ରହ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ସହକର୍ମୀ ଓ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ପରିଚିତ କରାଇଛି।ସ୍ୱାୟତ୍ତ ଶାସନ ଦିବସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ପୌର ପରିଷଦ ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯିବା ତାଙ୍କର ସାମ୍ବାଦିକତା ଜୀବନରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି। ଏହି ସମ୍ମାନ ତାଙ୍କୁ ଭବିଷ୍ୟତରେ ଆହୁରି ନିଷ୍ଠାର ସହ ସାମ୍ବାଦିକତା କରିବାକୁ ପ୍ରେରଣା ଯୋଗାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ଶ୍ରୀ ସାମନ୍ତରାୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଖୋର୍ଦ୍ଧା ଜିଲ୍ଲାର ସାମ୍ବାଦିକ ମହଲ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l