--:--:--
-- ---
Srishti News

ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର ଗଠନ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ

Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 31, 202612 views
ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର ଗଠନ ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱ
ବିଜେପୁର-ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପକ୍ଷରୁ ସୋମବାର ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ବିଜେପୁରର ସର୍ବାଙ୍ଗୀନ ବିକାଶ ଓ ଜନସେବାକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସନତ କୁମାର ଗଡ଼ତୀୟା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ୍‌ଏସି ଅଧ୍ୟକ୍ଷା ସୀତା ବାରିକ ଓ ସାଂସଦ ପ୍ରତିନିଧି ସୁନାଫୁଲ ସେଠ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାକୁ ଏମ୍‌ଆଇଏସ୍‌ କମ୍ପ୍ୟୁଟର ପ୍ରୋଗ୍ରାମ ମ୍ୟାନେଜର ଧର୍ମପ୍ରିୟ ସେଠୀ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଅତିଥି ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ପରେ ବିଧାୟକ ଗଡ଼ତୀୟା ସ୍ୱାୟତ୍ତ ଶାସନ ଦିବସର ପତାକା ଉତ୍ତୋଳନ କରିଥିଲେ। ଏହାପରେ ନବନିର୍ମିତ ଭିଡିଓ କନ୍‌ଫରେନ୍ସ ଗୃହକୁ ମୁଖ୍ୟ ଅତିଥିଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା।ସଭାରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହୁ ସ୍ୱାୟତ୍ତ ଶାସନ ଦିବସର ଐତିହାସିକ ତାତ୍ପର୍ଯ୍ୟ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଭୂମିକା ଉପରେ ଆଲୋକପାତ କରିଥିଲେ। ଜନସହଭାଗିତା ଓ ପ୍ରଶାସନିକ ବ୍ୟବସ୍ଥାର ସମନ୍ୱୟ ମାଧ୍ୟମରେ ଜନସାଧାରଣଙ୍କ ନିକଟତର ଶାସନ ଓ ଉତ୍ତମ ଜନସେବା ସୁନିଶ୍ଚିତ କରାଯାଇପାରିବ ବୋଲି ସେ କହିଥିଲେ। ବିଜେପୁର ଏନ୍‌ଏସି ପକ୍ଷରୁ ବିଜେପୁରର ବିକାଶ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଥିଲେ। ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ବିଜେପୁର ଏନ୍‌ଏସି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଉଚ୍ଚ ପ୍ରଶଂସା ଲାଭ କରିଥିବାରୁ ଏହା ଏନ୍‌ଏସି ପାଇଁ ଗର୍ବର ବିଷୟ ବୋଲି ସେ ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଗଡ଼ତୀୟା ସ୍ୱାୟତ୍ତ ଶାସନ ଦିବସର ଗୁରୁତ୍ୱ ଉପରେ ମତ ରଖି କହିଥିଲେ ଯେ, ସହରାଞ୍ଚଳର ସାମଗ୍ରିକ ବିକାଶରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣଙ୍କ ଆବଶ୍ୟକତା ଓ ସମସ୍ୟାକୁ ପ୍ରାଥମିକତା ଦେଇ ଉନ୍ନୟନମୂଳକ କାର୍ଯ୍ୟକୁ ଆଗେଇ ନେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ସମସ୍ତଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ। ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବା ସହ ବିଜେପୁରର ସର୍ବାଙ୍ଗୀନ ବିକାଶ ପାଇଁ ଜନପ୍ରତିନିଧି, ପ୍ରଶାସନ ଓ ଜନସାଧାରଣଙ୍କ ସମନ୍ୱିତ ଓ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ସୁନାଫୁଲ ସେଠ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା ଦ୍ୱାରା ପରିବାର ସହ ସମଗ୍ର ସମାଜର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଦକ୍ଷତା ବିକାଶ ଏବଂ ସରକାରୀ ଯୋଜନାରେ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସଭାରେ ବିଜେପୁର ଏନ୍‌ଏସିର ସାମଗ୍ରିକ ବିକାଶ, ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଓ ଜନସେବାକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସହରର ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ଆଲୋକୀକରଣ ସମେତ ବିଭିନ୍ନ ମୌଳିକ ନାଗରିକ ସୁବିଧାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଜନସାଧାରଣଙ୍କ ସହଯୋଗ, ସହଭାଗିତା ଓ ସଚେତନତା ରହିଲେ ବିଜେପୁରକୁ ଏକ ସ୍ୱଚ୍ଛ, ସୁନ୍ଦର, ସମୃଦ୍ଧ ଓ ବିକଶିତ ସହର ଭାବେ ଗଢ଼ି ତୋଳିବା ସମ୍ଭବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ସାମୂହିକ ପ୍ରୟାସରେ ବିଜେପୁରକୁ ଏକ ଆଦର୍ଶ ସହରରେ ପରିଣତ କରିବାର ସଂକଳ୍ପ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।