--:--:--
-- ---
Srishti News

ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟର: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ାAugust 31, 202650 views
ପଟ୍ଟାମୁଣ୍ଡାଇ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ପୁରାତନ ତଥା ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିବା ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷକ, ଶିକ୍ଷୟିତ୍ରୀ, ରାଜନେତା, ସମାଜସେବୀ ଓ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟରେ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ସେମାନଙ୍କୁ ଦାୟିତ୍ୱବୋଧ କରାଇବା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ସିସି ଶିକ୍ଷକ ତଥା ମୁଖ୍ୟ ପରିଚାଳକ ସରୋଜ କୁମାର ସ୍ୱାଇଁ, ଜେଆରସି ଶିକ୍ଷକ ଅନିଲ କୁମାର ଦାସ, ବରିଷ୍ଠ ଶିକ୍ଷକ ଅଶୋକ କୁମାର ଦାସ, ସାଂସ୍କୃତିକ ସଂଯୋଜିକା ଅନିତା ଧଳ, କ୍ରୀଡ଼ା ଶିକ୍ଷକ ଶଶାଙ୍କ ଶେଖର ସାହୁଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଜର ମୂଲ୍ୟବାନ ସମୟକୁ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରିବାକୁ ଶିକ୍ଷକମାନେ ପରାମର୍ଶ ଦେଇଥିଲେ। ବିଶେଷକରି ମୋବାଇଲ୍‌ର ଅତ୍ୟଧିକ ବ୍ୟବହାରଠାରୁ ଦୂରେଇ ରହି ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଥିଲା। ଏଥିସହିତ ସୁସ୍ଥ ମଣିଷ ଓ ସୁସ୍ଥ ପରିବେଶ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଅତି କମ୍‌ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ମଧ୍ୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ନିଶାମୁକ୍ତ ସମାଜ ସହିତ ସବୁଜ ଓ ସୁସ୍ଥ ପରିବେଶ ଗଠନରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପ୍ରଧାନଶିକ୍ଷକ ଅଶୋକ କୁମାର ରାଉତରାୟ, ଏନ୍‌ସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ଓ ଜେଆରସି ଶିକ୍ଷକ ଅନିଲ କୁମାର ଦାସଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ଭାରତ ଗଠନ ପାଇଁ ଶପଥ ପାଠ କରିଥିଲେ। ନିଶାଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ଏବଂ ଦେଶର ମାନ-ସମ୍ମାନ ଓ ଗୌରବକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନେ ସଙ୍କଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ତାପସ ବେହେରା, ରଶ୍ମିତା ତରାଇ, ଦିଲୀପ ପାତ୍ର, ଅଭିଷେକ ନାୟକ, ବିନୋଦ ବିହାରୀ ନାଥ, ବିନୋଦ ଜେନା, ଶାଶ୍ୱତୀ ସାହୁ, ସୁସ୍ମିତା ତରାଇ, ଗୋମତୀ ସ୍ୱାଇଁ ଓ ତପସ୍ୱିନୀ ମଲିକଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।