--:--:--
-- ---
Srishti News

ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ ମିଲିଟାରୀ ଛକ–ପଙ୍କପାଳ ବଙ୍ଗଳା ଛକ ରାସ୍ତା: ୩୧ରୁ ୩ ସ୍ଥାନରେ ମରାମତି ପ୍ରତିଶ୍ରୁତି ବାକି ରାସ୍ତା ପାଇଁ ହେବ ଅନୁମାନ, ଅନୁମୋଦନ ପରେ ଉନ୍ନତିକରଣ

Jajpur (ଯାଜପୁର)ଅନିଲ କୁମାର ଜେନା ଙ୍କ ରିପୋର୍ଟ କଳିଙ୍ଗନଗରAugust 31, 202629 views
ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ହେଲା ଆନ୍ଦୋଳନ ମିଲିଟାରୀ ଛକ–ପଙ୍କପାଳ ବଙ୍ଗଳା ଛକ ରାସ୍ତା: ୩୧ରୁ ୩ ସ୍ଥାନରେ ମରାମତି ପ୍ରତିଶ୍ରୁତି ବାକି ରାସ୍ତା ପାଇଁ ହେବ ଅନୁମାନ, ଅନୁମୋଦନ ପରେ ଉନ୍ନତିକରଣ
କଳିଙ୍ଗନଗର, ତା.୨୯/୮ : ଦୀର୍ଘଦିନ ଧରି ଶିଳ୍ପାଞ୍ଚଳବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ମାର୍ଗର ଦୁରବସ୍ଥା ନେଇ ଶେଷରେ ପ୍ରଶାସନ ତତ୍ପର ହୋଇଛି। ରାସ୍ତାର ସ୍ଥାୟୀ ମରାମତି ଓ ଉନ୍ନତିକରଣ ଦାବିରେ ଅଗଷ୍ଟ ୩୧ରୁ ଧାରଣା ଓ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିବା ଶିଳ୍ପାଞ୍ଚଳବାସୀଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ପ୍ରସ୍ତାବିତ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ପୂର୍ତ୍ତ ବିଭାଗର ଲିଖିତ ପ୍ରତିଶ୍ରୁତି ଅନୁଯାୟୀ, ଅଗଷ୍ଟ ୩୧ରୁ ମିଲିଟାରୀ ଛକ ନିକଟ, ରାବଣା ଛକ ଓ ଭିସା ସାମ୍ନା ଗେଟ୍‌ ନିକଟରେ ପ୍ରାଥମିକତା ଭିତ୍ତିରେ ମରାମତି କାମ ଆରମ୍ଭ ହେବ। ରାସ୍ତାର ଅନ୍ୟ ଅଂଶ ପାଇଁ ଆବଶ୍ୟକ ଅନୁମାନ ପ୍ରସ୍ତୁତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯିବ ଏବଂ ଅର୍ଥ ଉପଲବ୍ଧତା ଅନୁଯାୟୀ ପରବର୍ତ୍ତୀ ମରାମତି ଓ ଉନ୍ନତିକରଣ କାର୍ଯ୍ୟ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି।ରାସ୍ତାର ଦୁରବସ୍ଥା ନେଇ ଲଗାତାର ଅଭିଯୋଗ ଓ ଆନ୍ଦୋଳନ ଚେତାବନୀ ପରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ଦିଲ୍ଲୀପ କୁମାର ନାୟକଙ୍କ ସମେତ ବିଭାଗୀୟ ଅଧିକାରୀ, ଜଖପୁରା ପୁଲିସ ଓ ଶିଳ୍ପାଞ୍ଚଳବାସୀ ମିଳିତ ଭାବେ ରାସ୍ତାର ଗ୍ରାଉଣ୍ଡ ରିପୋର୍ଟ କରିଥିଲେ। ମିଲିଟାରୀ ଛକରୁ ପଙ୍କପାଳ ବଙ୍ଗଳା ଛକ ପର୍ଯ୍ୟନ୍ତ ମୋଟରସାଇକେଲରେ ଯାଇ ବିଭିନ୍ନ ସ୍ଥାନର ରାସ୍ତା ଅବସ୍ଥା, ବଡ଼ବଡ଼ ଖାଲଖମା ଓ ଯାତାୟାତ ସମସ୍ୟା ପରଖାଯାଇଥିଲା।ବିଶେଷକରି ବର୍ଷା ଯୋଗୁଁ ରାସ୍ତାର ଖାଲରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକମାନେ ବିପଦରେ ପଡ଼ୁଛନ୍ତି। ଶିଳ୍ପାଞ୍ଚଳର ଏହି ପ୍ରମୁଖ ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକଙ୍କ ସହ ବହୁ ସଂଖ୍ୟକ ଭାରୀଯାନ ଚଳାଚଳ କରୁଥିବାରୁ ସମସ୍ୟାଟି ଆହୁରି ଗମ୍ଭୀର ହୋଇଛି। କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ଦିଲ୍ଲୀପ କୁମାର ନାୟକ ଶିଳ୍ପାଞ୍ଚଳବାସୀଙ୍କୁ ବିଭାଗର ଲିଖିତ ପତ୍ର ପ୍ରଦାନ କରିଥିଲେ। ପାଣିକୋଇଲି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୨୯ରେ ଏଡିଏମ୍‌ଙ୍କୁ ଦିଆଯାଇଥିବା ପତ୍ରରେ ୩୧ରୁ ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମରାମତି କାମ କରାଯିବା ସ୍ପଷ୍ଟ କରାଯାଇଛି।ଏହି ସମୟରେ ଅନିଲ ଧଳ, ପୁଷ୍ପକାନ୍ତ ନାୟକ, ଅକ୍ଷୟ ଧଳ, ସନ୍ଦୀପ ମହାନ୍ତି, ରାଜକିଶୋର ପଣ୍ଡା, ନୀଳମାଧବ ନାୟକ, ସରୋଜ ଜେନା, ଅନ୍ତର୍ଯ୍ୟାମୀ ନାୟକ, ଅକ୍ଷୟ ବାରିକ, ଅନିଲ କୁମାର ଜେନା ରାଜେନ୍ଦ୍ର ସାହୁ ଓ ଶରତ ବିଶ୍ୱାଳଙ୍କ ସମେତ ବହୁ ଶିଳ୍ପାଞ୍ଚଳବାସୀ ଉପସ୍ଥିତ ଥିଲେ।ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଶିଳ୍ପାଞ୍ଚଳବାସୀଙ୍କ ଦାବି ଏଠାରେ ଶେଷ ହୋଇନାହିଁ। ପ୍ରାୟ ୧୨ କିମି ଦୀର୍ଘ ବିଜୁ ପଟ୍ଟନାୟକ ମାର୍ଗର କେବଳ କେତେକ ସ୍ଥାନରେ ଜରୁରୀ ମରାମତି କଲେ ସମସ୍ୟାର ସ୍ଥାୟୀ ସମାଧାନ ହେବନାହିଁ। ତେଣୁ ସମଗ୍ର ରାସ୍ତାର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ସ୍ଥାୟୀ ମରାମତି ଓ ଆବଶ୍ୟକ ଉନ୍ନତିକରଣ କରାଯିବାକୁ ଦାବି ହୋଇଛି।କଳିଙ୍ଗନଗର ଭଳି ଦେଶର ଏକ ପ୍ରମୁଖ ଶିଳ୍ପାଞ୍ଚଳରେ ଶିଳ୍ପସଂସ୍ଥା, ଶ୍ରମିକ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତାର ଗୁରୁତ୍ୱ ଅତ୍ୟଧିକ। ଏଭଳି ସ୍ଥିତିରେ ବର୍ଷ ବର୍ଷ ଧରି ରାସ୍ତାର ଦୁରବସ୍ଥା ରହିବା ନେଇ ଲୋକଙ୍କ ଅସନ୍ତୋଷ ସ୍ୱାଭାବିକ ବୋଲି ମତ ପ୍ରକାଶ ପାଇଛି। ଏବେ ବଡ଼ ପ୍ରଶ୍ନ—୩୧ରୁ ସତରେ ଆରମ୍ଭ ହେବ କି କାମ?ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଅଗଷ୍ଟ ୩୧ର ଧାରଣା ପ୍ରତ୍ୟାହାର କରି ଶିଳ୍ପାଞ୍ଚଳବାସୀ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏବେ ଏହି ଆସ୍ଥା ରଖିବାର ଦାୟିତ୍ୱ ପୂର୍ତ୍ତ ବିଭାଗର। ବିଭାଗ ପକ୍ଷରୁ ୩୧ରୁ ମିଲିଟାରୀ ଛକ, ରାବଣା ଛକ ଓ ଭିସା ସାମ୍ନା ଗେଟ୍‌ ନିକଟରେ କାମ ଆରମ୍ଭ କରାଯିବ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିବାରୁ ଏବେ ସମସ୍ତଙ୍କ ନଜର ୩୧ ତାରିଖ ଉପରେ। ଧାର୍ଯ୍ୟ ତାରିଖରେ କାମ ଆରମ୍ଭ ହେଉଛି କି ନାହିଁ ଏବଂ ପରବର୍ତ୍ତୀ ସମୟରେ ଅବଶିଷ୍ଟ ରାସ୍ତାର ସ୍ଥାୟୀ ଉନ୍ନତିକରଣ କେବେ ହେବ—ତାହା ହିଁ ଏବେ ଶିଳ୍ପାଞ୍ଚଳବାସୀଙ୍କ ମୁଖ୍ୟ ପ୍ରଶ୍ନ।ପ୍ରତିଶ୍ରୁତି ରହିବ କି କାର୍ଯ୍ୟରେ ପରିଣତ ହେବ—୩୧ ତାରିଖରେ ତାହାର ପ୍ରଥମ ପରୀକ୍ଷା। ପ୍ରଶାସନର ପ୍ରତିଶ୍ରୁତି ପାଳନରେ ବିଳମ୍ବ ହେଲେ ଆଗାମୀ ଦିନରେ ଆଇନସମ୍ମତ ଓ ଶାନ୍ତିପୂର୍ଣ୍ଣ ଭାବେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଶିଳ୍ପାଞ୍ଚଳବାସୀ ସ୍ପଷ୍ଟ କରିଛନ୍ତି।