ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ, ଋଣ ଓ ବନ୍ୟାଜନିତ ଫସଲ କ୍ଷତିକୁ ନେଇ ଚାପରେ ଥିବା ଅନୁମାନ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 30, 202671 views

ବନ୍ୟାରେ ଉଜୁଡ଼ିଗଲା ଧାନ ଫସଲ, ଋଣ ବୋଝ ବଢ଼ିଲା; ଅସହାୟ ପରିବାରକୁ ସରକାରୀ ସହାୟତା ଦାବି
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ଥାନା ସାହସପୁର ପଞ୍ଚାୟତର ଲୁହାସାହି ଗ୍ରାମରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଗ୍ରାମର ପ୍ରଭାକର ବେହୁରିଆ (୫୦)। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ଅସହାୟ ପରିବାରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରଭାକର ଋଣ କରି ପ୍ରାୟ ୫୦ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷ ଭଲ ହେଲେ ଋଣ ପରିଶୋଧ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବା ନେଇ ଆଶା ରଖିଥିଲେ। କିନ୍ତୁ ଲଗାତାର ବୈତରଣୀ ନଦୀର ବନ୍ୟା ଯୋଗୁଁ ତାଙ୍କ ଧାନ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
ଫସଲ ନଷ୍ଟ ହେବା ସହ ଋଣ ପରିଶୋଧ ନେଇ ଚିନ୍ତା ବଢ଼ିଥିଲା ବୋଲି ପରିବାର ଲୋକେ କହିଛନ୍ତି। ଏହି ଆର୍ଥିକ ଚାପ ଯୋଗୁଁ ପ୍ରଭାକର ମାନସିକ ଭାବେ ଚାପଗ୍ରସ୍ତ ଥିବା ଏବଂ ଶେଷରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଜିଲ୍ଲା ହସ୍ପିଟାଲକୁ ପଠାଇଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।
ଅସହାୟ ପରିବାରକୁ ନେଇ ଚିନ୍ତାରେ ଗ୍ରାମବାସୀ,
ପ୍ରଭାକରଙ୍କ ମୃତ୍ୟୁ ପରେ ତାଙ୍କi ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ। ଜଣେ ଚାଷୀ ଋଣ କରି ଚାଷ କରିବା ପରେ ବନ୍ୟାରେ ଫସଲ ନଷ୍ଟ ହୋଇଯିବା ଘଟଣା ଚାଷୀଙ୍କ ଦୁର୍ଦ୍ଦଶାକୁ ପଦାରେ ପକାଇଛି ବୋଲି ଗ୍ରାମବାସୀ କହିଛନ୍ତି।
ଏଭଳି ପରିସ୍ଥିତିରେ ପ୍ରଭାକରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା, ଫସଲ କ୍ଷୟକ୍ଷତିର ଆକଳନ ଏବଂ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ।
“ଗରିବ ଚାଷୀ ପରିବାର ଏବେ କରିବେ କ’ଣ?”—ଏହି ପ୍ରଶ୍ନ ଏବେ ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ୟାରେ ଫସଲ ହରାଇ ଆର୍ଥିକ ସଙ୍କଟରେ ପଡ଼ିଥିବା ପରିବାରକୁ ପ୍ରଶାସନ କେବେ ଓ କିପରି ସହାୟତାର ହାତ ବଢ଼ାଇବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ।
