ବରଗଡ଼ରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ନୋଡାଲ ସଚିବ: ଅଙ୍ଗନବାଡ଼ିଠାରୁ ଶୀତଳ ଭଣ୍ଡାର, ବିଦ୍ୟାଳୟ, ହସ୍ପିଟାଲ ଓ ଶିଳ୍ପ ୟୁନିଟ୍ର ସମୀକ୍ଷା
Bargarh (ବରଗଡ଼)(ସତ୍ୟ ସୁରୁଜାଲ)August 29, 202621 views

ବରଗଡ଼, ୨୯/୦୮: ବରଗଡ଼ ଜିଲ୍ଲାର ନୋଡାଲ ସଚିବ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ ଶନିବାର ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ଶିକ୍ଷାନୁଷ୍ଠାନ ଓ ସଂସ୍ଥା ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ଭିତ୍ତିଭୂମି ଓ ସେବା ପ୍ରଦାନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ବରିଷ୍ଠ ଜିଲ୍ଲା ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରଥମେ ଡ. ଉପାଧ୍ୟାୟ ଅଡ଼ଗାଁ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। କେନ୍ଦ୍ରର ପରିଚ୍ଛନ୍ନତା, ରୋଷେଇ ଘର ଓ ଶିଶୁମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥା ଯାଞ୍ଚ କରିଥିଲେ।
ଏହାପରେ କୁରୁଆଁସ୍ଥିତ ୫ ହଜାର ମେଟ୍ରିକ୍ ଟନ୍ କ୍ଷମତାବିଶିଷ୍ଟ ଶୀତଳ ଭଣ୍ଡାର ପରିଦର୍ଶନ କରି ବ୍ୟବସ୍ଥାର ତଦାରଖ କରିଥିଲେ। ଧାନ ଚାଷ ସହ ଆଳୁ ଓ ଅନ୍ୟାନ୍ୟ ପନିପରିବା ଚାଷକୁ ପ୍ରୋତ୍ସାହନ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଫସଲ ବିବିଧୀକରଣ ପାଇଁ କୃଷକ ଗୋଷ୍ଠୀ ଗଠନ କରି ସଚେତନତା ଓ ପରାମର୍ଶ ମାଧ୍ୟମରେ ଚାଷୀଙ୍କୁ ଉତ୍ସାହିତ କରିବାକୁ ଶୀତଳ ଭଣ୍ଡାର ମାଲିକଙ୍କୁ ପରାମର୍ଶ ଦେଇଥିଲେ।
ପରେ ଦେବଗଡ଼ ଟିକ୍ରା ସରକାରୀ ବିଦ୍ୟାଳୟ ଓ ବରଗଡ଼ର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ପିଏମ୍ ଶ୍ରୀ ବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାର, ଇ-ଲାବୋରେଟୋରୀ, ରୋବୋଟିକ୍ସ ଲାବ୍ ଓ ସ୍ମାର୍ଟ କ୍ଲାସରୁମ୍ ପରିଦର୍ଶନ କରି ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ ଓ ସର୍ବୋତ୍ତମ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ।
ଧନୁଯାତ୍ରା ସ୍କୁଲ ଅଫ୍ ଡ୍ରାମା ପ୍ରସ୍ତାବ
ବରଗଡ଼ ନିଶାମଣୀ ପଡ଼ିଆରେ ନିର୍ମାଣାଧୀନ ଧନୁଯାତ୍ରା ରଙ୍ଗମହଲ ପରିଦର୍ଶନ ସମୟରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ଥାନୀୟ କଳାକାରଙ୍କ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଇଁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ସହଯୋଗରେ ‘ଧନୁଯାତ୍ରା ସ୍କୁଲ୍ ଅଫ୍ ଡ୍ରାମା’ ସ୍ଥାପନ ପାଇଁ ପ୍ରସ୍ତାବ ରଖିଥିଲେ।
ଆଶ୍ରମ ବିଦ୍ୟାଳୟ ଓ ଶିଳ୍ପ ୟୁନିଟ୍ର ସମୀକ୍ଷା
ବର୍ଦ୍ଦୋଲି ଆଶ୍ରମ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ଓ ହଷ୍ଟେଲ୍ ଡାଇନିଂ ହଲ୍ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏଥିସହ ରୋଷେଇ ଘର ଓ ହଷ୍ଟେଲ୍ର ପରିଚ୍ଛନ୍ନତା ବ୍ୟବସ୍ଥା ଯାଞ୍ଚ କରିଥିଲେ।
ଭଟଲିସ୍ଥିତ ଗ୍ରାଉଣ୍ଡନଟ୍ ପ୍ରୋସେସିଂ ୟୁନିଟ୍ ପରିଦର୍ଶନ କରି ଉଦ୍ୟୋଗୀଙ୍କ ସହ ଆଲୋଚନା କରିବା ସହ ଯନ୍ତ୍ରପାତି, ଉତ୍ପାଦନ ଓ ବିପଣନ ସମ୍ଭାବନା ସମ୍ପର୍କରେ ଅବଗତ ହୋଇଥିଲେ।
ଏହାପରେ ବିକାଶ ହସ୍ପିଟାଲ୍ ପରିଦର୍ଶନ କରି ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସିତ ହେଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ବରଗଡ଼ସ୍ଥିତ ଜିନ୍ଦଲ ଇଟା ୟୁନିଟ୍ ପରିଦର୍ଶନ କରି ଉତ୍ପାଦନ, କଞ୍ଚାମାଲ ସଂଗ୍ରହ ଓ ଉତ୍ପାଦିତ ସାମଗ୍ରୀର ବିପଣନ ସମ୍ପର୍କରେ ଆଲୋଚନା କରିଥିଲେ।
ପରିଦର୍ଶନ ଶେଷରେ ଡ. ଉପାଧ୍ୟାୟ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ସର୍ବସାଧାରଣ ଭିତ୍ତିଭୂମିର ନିୟମିତ ରକ୍ଷଣାବେକ୍ଷଣ, ଫସଲ ବିବିଧୀକରଣ, ଜୀବିକା ସୁଯୋଗ ସୃଷ୍ଟି ଓ କ୍ଷେତ୍ରସ୍ତରୀୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ।

