ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟAugust 29, 202656 views

ଖଲ୍ଲିକୋଟ, ୨୮/୦୮: ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଉଦବୋଧନ ଦେଇଥିଲେ। ତାଙ୍କ ସହ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସଂଯୋଜିକା ରଶ୍ମିତା ସାହୁ, ଆତ୍ମରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ସାବିତ୍ରୀ ଜାନୀ ଏବଂ ଟି.ଏସ୍. ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସଂଯୋଜିକା ରଶ୍ମିତା ସାହୁ ସ୍ୱାଗତ ଭାଷଣ ଦେଇ ଆତ୍ମରକ୍ଷା କୌଶଳର ଆବଶ୍ୟକତା ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଆଜିର ସମାଜରେ ପ୍ରତ୍ୟେକ ନାରୀ ନିଜ ସୁରକ୍ଷା ପାଇଁ ସଚେତନ ହେବା ସହ ସାହସ ଓ ଆତ୍ମବିଶ୍ୱାସର ସହିତ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପାତ୍ର କହିଥିଲେ ଯେ, ଆତ୍ମରକ୍ଷା ତାଲିମ କେବଳ ବିପଦ ସମୟରେ ନିଜକୁ ସୁରକ୍ଷା ଦେବାର ମାଧ୍ୟମ ନୁହେଁ; ଏହା ଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଦୃଢ଼ତା, ଆତ୍ମବିଶ୍ୱାସ ଓ ଏକାଗ୍ରତା ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।
କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ବାସନ୍ତୀ ପ୍ରଧାନ ଓ ଭାରତୀ ଗଉଡ଼ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ମାଧ୍ୟମରେ ଛାତ୍ରୀମାନେ ନିଜ ସୁରକ୍ଷା ସହିତ ଆତ୍ମବିଶ୍ୱାସର ସହ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାର ମନୋବଳ ହାସଲ କରିପାରିବେ ବୋଲି ମତପ୍ରକାଶ ପାଇଥିଲା।
ଏହି ଅବସରରେ ପ୍ରାକ୍ତନ ସଭାପତି ତଥା ବିଧାୟିକା ସ୍ୱର୍ଗତା ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ନାରୀ ସଶକ୍ତିକରଣ କ୍ଷେତ୍ରରେ ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କ ନିର୍ଦ୍ଦେଶନାରେ ୨୦୧୩ ମସିହାରୁ ନାରୀମାନଙ୍କ ସଶକ୍ତିକରଣ ଓ ସୁରକ୍ଷା ପାଇଁ ଆତ୍ମରକ୍ଷା ତାଲିମ ପ୍ରଦାନର ପଦକ୍ଷେପ ଆରମ୍ଭ ହୋଇଥିବା କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମ ରାଜ୍ୟ ସ୍ତରରେ ବ୍ୟାପକ ରୂପ ନେଇଥିବା ମତପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମକୁ ବିଶ୍ୱଜିତ ବର୍ଦ୍ଧନ ସାମନ୍ତ, ବାସନ୍ତୀ ପ୍ରଧାନ ଓ ଭାରତୀ ଗଉଡ଼ ପ୍ରମୁଖ ସହଯୋଗ କରିଥିଲେ। ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରୀ ଏହି ତାଲିମ ଶିବିରରେ ଯୋଗଦେଇଥିଲେ।
