ଆଜି ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ହିତାଧିକାରୀ ପାଇବେ ୫ ହଜାର ଟଙ୍କା
Bhubaneswar (ଭୁବନେଶ୍ୱର) ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।August 28, 202626 views

ଭୁବେନେଶ୍ୱର୍: ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଉଛି। ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଡିବିଟି (DBT) ମାଧ୍ୟମରେ ଏହି କିସ୍ତି ଟଙ୍କାର ଶୁଭାରମ୍ଭ କରୁଛନ୍ତି।
ଖାତାକୁ ଆସିବ ୫,୦୦୦ ଟଙ୍କା
ସରକାରୀ ସୂଚନା ଅନୁଯାୟୀ, ଆଜି ରାଜ୍ୟର ୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପଞ୍ଚମ କିସ୍ତି ବାବଦରେ ପଠାଯାଉଛି। ଏଥିପାଇଁ ରାଜ୍ୟ ସରକାର ୫,୧୬୩ କୋଟିରୁ ଅଧିକ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି।
ନୟାଗଡ଼ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ସାଧାରଣ ଜନତା ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଯେଉଁ ହିତାଧିକାରୀଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ (Aadhaar Link) କିମ୍ବା DBT ସେବା ସକ୍ରିୟ ନଥିବ, ସେମାନଙ୍କର ଟଙ୍କା ମିଳିବାରେ ବିଳମ୍ବ ହୋଇପାରେ। ଏସବୁ ସମସ୍ୟାର ସମାଧାନ ହେବା କ୍ଷଣି ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଟଙ୍କା ହସ୍ତାନ୍ତର କରାଯିବ ବୋଲି ବିଭାଗୀୟ ସୂଚନା ମିଳିଛି। ହିତାଧିକାରୀମାନେ ସୁଭଦ୍ରା ଯୋଜନାର ଅଫିସିଆଲ୍ ପୋର୍ଟାଲ୍ (subhadra.odisha.gov.in) କିମ୍ବା ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ନିଜର ଷ୍ଟାଟସ୍ ଯାଞ୍ଚ କରିପାରିବେ।
