ଗଣମାଧ୍ୟମର ପ୍ରଭାବ - ଶିରିପୁରରେ ପହଞ୍ଚିଲା ପ୍ରଶାସନ : ରାସ୍ତା ଓ ଅଙ୍ଗନବାଡ଼ି ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଡିଓ
Ganjam (ଗଞ୍ଜାମ)ଦୁର୍ଗା ମାଧବ ମହାରଣାAugust 27, 202632 views

ଚିକିଟି, ୨୬/୦୮: ଆଜିକାଲି ପ୍ରଯୁକ୍ତି ବିଦ୍ୟା ର ବିକାଶରେ କୈ।ଣସି ଖବର ପାଇଁ ଖବରକାଗଜ କୁ ଅପେକ୍ଷା ନାହିଁ, ମୋବାଇଲ, ଟେଲିଭିଜନ ରେ ଖବର ଲୋକଲୋଚନକୁ ଆସି ଯାଉଛି। ତଥାପି କେତେକ ଖବର ସର୍ବଜନୀନ ହୋଇପାରୁନାହିଁ ଯୋଗାଯୋଗର ଅସୁବିଧା ହେତୁ।ସେଠି ଗଣମାଧ୍ୟମର ପ୍ରତିନିଧି ପହଞ୍ଚିଥାନ୍ତି, ଖବର ସଂଗ୍ରହ କରନ୍ତି। ସେମିତି ଏକ ଗାଁ ଗଞ୍ଜାମ ଚିକିଟି ବ୍ଲକର ଶିରିପୁର।
ଚିକିଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟି ପଞ୍ଚାୟତର ହରିଜନ ଶିରିପୁର ଗ୍ରାମ ଦୀର୍ଘବର୍ଷ ଧରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପାନୀୟଜଳ ଭଳି ମୌଳିକ ସୁବିଧା ଗ୍ରାମରେ ପହଞ୍ଚୁନଥିବା ନେଇ
ଖବର ପ୍ରକାଶ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର ଶିରିପୁର ଗ୍ରାମ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦୀର୍ଘଦିନ ଧରି କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମକୁ ଆସିନଥିବା ବେଳେ ବିଡିଓଙ୍କ ପରିଦର୍ଶନକୁ ନେଇ ଗ୍ରାମବାସୀ ଆଶାବାଦୀ ହୋଇଛନ୍ତି।
ଗ୍ରାମବାସୀଙ୍କ କହିବାନୁଯାୟୀ, ଗ୍ରାମର ରାସ୍ତା ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି କାଦୁଅ ହୋଇଯାଉଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ରାସ୍ତାର ସ୍ଥାୟୀ ମରାମତି କରି ଭଲ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ବିଡିଓଙ୍କ ନିକଟରେ ନିବେଦନ କରିଥିଲେ।
ସେହିପରି ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଶିଶୁମାନଙ୍କୁ ପ୍ରାୟ ୩ କିମି ଦୂର ବଡ଼ କେଳାଝୁରି ଗ୍ରାମକୁ ଯିବାକୁ ପଡ଼ୁଛି। ଦୂରତା ଯୋଗୁଁ ଅନେକ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ର ଯିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଗ୍ରାମବାସୀ ବିଡିଓଙ୍କୁ ଜଣାଇଥିଲେ।
ବିଡିଓ ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ, ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଛି। ରାସ୍ତାର ଶୀଘ୍ର ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏଥିସହ ଗ୍ରାମର ପ୍ରାୟ ୯୦ ପ୍ରତିଶତ ଲୋକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଇସାରିଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ବାଦ ପଡ଼ିଛନ୍ତି, ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରି ସୁବିଧା ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି।ପ୍ରଶାସନ ଗ୍ରାମବାସୀଙ୍କ ପାଖକୁ ଯାଇ ଅଭାବ ଅସୁବିଧା ବୁଝିଥିବାରୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ।
