ଗୁରୁଜଙ୍ଗ ଟାଙ୍ଗୀସାହି-ନୂଆଗାଁ ରାସ୍ତା ସାଜିଛି ମରଣଯନ୍ତା ଏ ରାସ୍ତା କାହାର? ପୂର୍ତ୍ତ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ — ଦାୟିତ୍ୱ ନେବ କିଏ?
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାAugust 25, 202663 views

ଖୋର୍ଦ୍ଧା ପୌରପରିଷଦ ଅଧୀନ ଗୁରୁଜଙ୍ଗ ୧୮ ନମ୍ବର ୱାର୍ଡର ଟାଙ୍ଗୀସାହି-ନୂଆଗାଁ ମୁଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏଭଳି ଶୋଚନୀୟ ହୋଇପଡ଼ିଛି ଯେ, ଏହି ରାସ୍ତାରେ ଯାତାୟାତ କରିବା ସମୟରେ ଲୋକେ ଭଗବାନଙ୍କ ଭରସାରେ ଯାତ୍ରା କରୁଥିବା ଅଭିଯୋଗ ହେଉଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଏହି ରାସ୍ତାଟି କାହାର? ପୂର୍ତ୍ତ ବିଭାଗର ନା ଗ୍ରାମ୍ୟ ଉନ୍ନୟନ ବିଭାଗର? ରାସ୍ତାର ଦୁରବସ୍ଥା ନେଇ ସାଧାରଣ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ କେଉଁ ବିଭାଗ ଏହାର ଦାୟିତ୍ୱ ନେବ, ତାହା ସ୍ପଷ୍ଟ ହେଉନାହିଁ।ରାସ୍ତା ସାରା ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ସେଥିରେ ପାଣି ଜମି ଅବସ୍ଥା ଆହୁରି ସଙ୍ଗୀନ ହୋଇପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଏହି ଗର୍ତ୍ତରେ ପଡ଼ି ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଏପରିକି ରାସ୍ତାର ଅବସ୍ଥା ଦେଖି ଆମ୍ବୁଲାନ୍ସ ଚାଳକମାନେ ମଧ୍ୟ ଏହି ରାସ୍ତାକୁ ଯିବାକୁ ଭୟ କରୁଥିବା ଅଭିଯୋଗ ହୋଇଛି।ଏହି ରାସ୍ତା ଦେଇ ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡ଼ା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ, ଅରିଶଲ ସମେତ ବିଭିନ୍ନ ଅଞ୍ଚଳର ଲୋକେ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକକୁ ଯାତାୟାତ କରନ୍ତି। ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ବେଳେ ଗର୍ଭବତୀ ମହିଳା ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅରାଙ୍ଗ ମୌଜାରେ ଶିଳ୍ପାନୁଷ୍ଠାନର କାର୍ଯ୍ୟ ଆରମ୍ଭ ହେବା ପରେ ଏହି ସମସ୍ୟା ଆହୁରି ବଢ଼ିଛି। ଭାରୀ ମାଲବାହୀ ଯାନଗୁଡ଼ିକ ଏହି ଅଣଓସାରିଆ ରାସ୍ତା ଦେଇ ନିୟମିତ ଯାତାୟାତ କରିବା ଫଳରେ ରାସ୍ତାର ଅବସ୍ଥା ଦିନକୁ ଦିନ ଖରାପ ହୋଇଥିବା ଅଭିଯୋଗ ହୋଇଛି। ଶିଳ୍ପାନୁଷ୍ଠାନ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯାଇନଥିବାରୁ ସାଧାରଣ ଲୋକଙ୍କ ରାସ୍ତା ଉପରେ ଭାରୀ ଯାନ ଚଳାଚଳ କରୁଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଅନ୍ୟପଟେ ପିତାପଲିଠାରୁ ଶରଧାପୁର ପର୍ଯ୍ୟନ୍ତ ନୂଆ ୫୭ ନମ୍ବର ଜାତୀୟ ରାଜପଥର କାମ ଦୀର୍ଘଦିନ ଧରି ଚାଲିଥିବାରୁ ଗୁରୁଜଙ୍ଗ ଓ ନୂଆଗାଁ ଓଭରବ୍ରିଜ୍ ତଳ ଅଞ୍ଚଳରେ ମଧ୍ୟ ଖାଲଖମା ସହ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ସବୁ ଦେଖି ମଧ୍ୟ ନିରବ ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।
ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନିଆଯାଇନଥିବା ସାମାଜିକ କର୍ମୀ ଗୋପାଳ କୃଷ୍ଣ ପ୍ରଧାନ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେଉଁ ବିଭାଗ ଏହି ରାସ୍ତାର ଦାୟିତ୍ୱରେ ଅଛି, ତାହା ସ୍ପଷ୍ଟ ହୋଇପାରିନଥିବା ସେ କହିଛନ୍ତି।
ଦୈନିକ ପ୍ରାୟ ୧୫ରୁ ୨୦ଟି ଗ୍ରାମର ଲୋକେ ନିର୍ଭର କରୁଥିବା ଏହି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ସମାଧାନ ଦାବି ଜୋର ଧରିଛି। ଆଗକୁ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ନଚେତ୍ ଏହି ରାସ୍ତାକୁ ନେଇ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି।

