--:--:--
-- ---
Srishti News

ନଦୀ ପାରି ହେବାକୁ ଯାଉଥିବା ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର: ଉଦ୍ଧାର ପାଇଁ ଜୋରଦାର ଖୋଜାଖୋଜି

Kendrapara (କେନ୍ଦ୍ରାପଡ଼ା)ଦିଲୀପ ପରିଡାAugust 25, 202642 views
ନଦୀ ପାରି ହେବାକୁ ଯାଉଥିବା ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର: ଉଦ୍ଧାର ପାଇଁ ଜୋରଦାର ଖୋଜାଖୋଜି
L ରାଜକନିକା, ୨୫/୦୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାଧରପ୍ରସାଦ ଡିଆ ଗାଁରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନଦୀ ପାର ହୋଇ ଆରପାରିକୁ ଯିବା ପାଇଁ ଘାଟ ନିକଟରେ ଅପେକ୍ଷା କରୁଥିବା ଜଣେ ବୃଦ୍ଧଙ୍କୁ ଏକ କୁମ୍ଭୀର ଝାମ୍ପ ମାରି ନଦୀ ଭିତରକୁ ଟାଣିନେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌, ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀଙ୍କ ପକ୍ଷରୁ ନଦୀରେ ଜୋରଦାର ଖୋଜାଖୋଜି ଜାରି ରହିଛି। ସୂଚନା ଅନୁଯାୟୀ, ଗଙ୍ଗାଧରପ୍ରସାଦ ଡିଆ ଗାଁର ପରେଶ୍ୱର ବେହେରା ମଙ୍ଗଳବାର ସକାଳେ ଘରର କିଛି ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ନଦୀ ଆରପାରି ଆୟତନ ବଜାରକୁ ଯିବାକୁ ବାହାରିଥିଲେ। ନଦୀ ପାର ହେବା ପାଇଁ ସେ ଗାଁ ସ୍କୁଲ ନିକଟସ୍ଥ ଘାଟଡଙ୍ଗାକୁ ଯାଇଥିଲେ। ସେଠାରେ ଅଳ୍ପ ପାଣି ମଧ୍ୟରେ ପଶିଥିବା ସମୟରେ ପୂର୍ବରୁ ପାଣିରେ ଛକି ରହିଥିବା ଏକ କୁମ୍ଭୀର ହଠାତ୍‌ ତାଙ୍କ ଉପରକୁ ଝାମ୍ପ ମାରିଥିଲା। ଆଖି ପିଛୁଳାକେ କୁମ୍ଭୀରଟି ପରେଶ୍ୱରଙ୍କୁ ନଦୀ ଭିତରକୁ ଟାଣିନେଇଥିବା ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଖବର ପାଇ ରାଜକନିକା ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍‌ ଟିମ୍‌, ସ୍ଥାନୀୟ ପ୍ରଶାସନ ଓ ଗ୍ରାମବାସୀ ନଦୀରେ ପହଞ୍ଚି ନିଖୋଜ ବୃଦ୍ଧଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଦିନ ପ୍ରାୟ ୨ଟା ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ପରେଶ୍ୱର ବେହେରାଙ୍କ କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କନିକା ଥାନା ଆଇଆଇସି ସଞ୍ଜୟ ମଲ୍ଲିକ, ବିଡିଓ କୈଳାସ ମହାଳିକ ଏବଂ କନିକା ତହସିଲଦାର ଭାନୁମତୀ ମାଝୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ଦେଖାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନଦୀରେ କୁମ୍ଭୀର ଉପସ୍ଥିତି ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଭୟ ରହିଥିବା ବେଳେ ଏଭଳି ଘଟଣା ପରେ ଘାଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ସଚେତନତା ବୃଦ୍ଧି ପାଇଁ ଦାବି ଜୋର ଧରିଛି। ନିଖୋଜ ବୃଦ୍ଧଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି।