ଋଷିଗୁଡ଼ାକୁ ନାହିଁ ରାସ୍ତା, ବର୍ଷା ହେଲେ ୨୫ ପରିବାର ଦୁର୍ଦ୍ଦଶାରେ
Rayagada (ରାୟଗଡ଼ା)ରିପୋର୍ଟ: ନିରଞ୍ଜନ ପୁଝାରି, ଗୁଡାରିAugust 25, 202644 views

ଗୁଡାରି, ତା.୨୫/୦୮: ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ୍ ଅଧୀନ ଶିରୀଗୁଡ଼ା ପଞ୍ଚାୟତର ଋଷିଗୁଡ଼ା ଗ୍ରାମକୁ ଏପର୍ଯ୍ୟନ୍ତ ସୁଗମ ରାସ୍ତା ନଥିବାରୁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷାଦିନେ ଲୁହମୁଣ୍ଡା ଓ ଋଷିଗୁଡ଼ା ଗ୍ରାମ ମଧ୍ୟରେ ଥିବା ନାଳାରେ ପାଣି ବଢ଼ିଯିବା ଫଳରେ ପ୍ରାୟ ୨୫ଟି ପରିବାର ଯାତାୟାତରେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବର୍ଷା ସମୟରେ ନାଳାରେ ପାଣି ବଢ଼ିଲେ ଗାଁକୁ ଯାତାୟାତ ପ୍ରାୟ ବିଚ୍ଛିନ୍ନ ହୋଇଯାଏ। ଫଳରେ ଜରୁରୀ ଚିକିତ୍ସା, ଶିକ୍ଷା, ଦୈନନ୍ଦିନ ଆବଶ୍ୟକତାର ସାମଗ୍ରୀ ଆଣିବା ଓ ଅନ୍ୟାନ୍ୟ ସେବା ପାଇବାରେ ଲୋକଙ୍କୁ ଅସୁବିଧା ହେଉଛି। ବିଶେଷକରି ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଯାତାୟାତକୁ ନେଇ ପରିବାରଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ୟା ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମସ୍ୟା ପ୍ରତି ଆବଶ୍ୟକ ଗୁରୁତ୍ୱ ଦେଉନଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀ କହିଛନ୍ତି ଯେ, ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ପ୍ରତିନିଧିମାନେ ଗାଁକୁ ଆସି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ନିର୍ବାଚନ ପରେ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବା ଅଭିଯୋଗ ରହିଛି।
ତେଣୁ ଯଥାଶୀଘ୍ର ଋଷିଗୁଡ଼ାକୁ ସ୍ଥାୟୀ ରାସ୍ତା ନିର୍ମାଣ ସହ ନାଳା ଉପରେ ପୋଲ କିମ୍ବା ଆବଶ୍ୟକ ଯାତାୟାତ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଜବାବ ଦିଆଯିବ ବୋଲି କିଛି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ତେବେ ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ଜନପ୍ରତିନିଧିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
