--:--:--
-- ---
Srishti News

ସରଣ୍ଡା ସୀମାନ୍ତ ସିଲକୁଟା ଜଙ୍ଗଲରୁ ବ୍ୟାପକ ମାଓ ସାମଗ୍ରୀ ଉଦ୍ଧାର: ମିଳିତ ଅପରେସନରେ ଅସ୍ତ୍ର, ବିସ୍ଫୋରକ ଓ ଯୋଗାଯୋଗ ସାମଗ୍ରୀ ଜବତ

Rourkela (ରାଉରକେଲା)ଗଣପତି ଦାସAugust 24, 202632 views
ସରଣ୍ଡା ସୀମାନ୍ତ ସିଲକୁଟା ଜଙ୍ଗଲରୁ ବ୍ୟାପକ ମାଓ ସାମଗ୍ରୀ ଉଦ୍ଧାର: ମିଳିତ ଅପରେସନରେ ଅସ୍ତ୍ର, ବିସ୍ଫୋରକ ଓ ଯୋଗାଯୋଗ ସାମଗ୍ରୀ ଜବତ
ବିଶ୍ରା, ୨୪/୮: ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ କେ.ବଲାଙ୍ଗ ଥାନା ଅଧୀନ ସରଣ୍ଡା ଜଙ୍ଗଲର ସିଲକୁଟା ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ମାଓବାଦୀ ସାମଗ୍ରୀ ଉଦ୍ଧାର ହୋଇଛି। ରାଉରକେଲା ପୋଲିସ, ଡିଭିଏଫ୍ ଓ ବିଡିଡିଏସ୍‌ର ମିଳିତ ଅପରେସନ ବେଳେ ଏକ ମାଓବାଦୀ କ୍ୟାମ୍ପ ଠାବ ହେବା ପରେ ଏହି ସାମଗ୍ରୀ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ, ଜଣେ ହାଇ ପ୍ରୋଫାଇଲ୍ ମାଓବାଦୀ ଆତ୍ମସମର୍ପଣ କରିବା ପରେ ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସିଲକୁଟା ଜଙ୍ଗଲରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ସମୟରେ ଜଙ୍ଗଲରେ ପୋତା ଯାଇଥିବା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ମାଓବାଦୀ ପୋଷ୍ଟର, ବହି ଏବଂ କ୍ୟାମ୍ପ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ଠାବ କରାଯାଇଥିଲା। ଉଦ୍ଧାର ସାମଗ୍ରୀ ମଧ୍ୟରେ ଗୋଟିଏ CM 9mm Carbine, ଗୋଟିଏ IED କଣ୍ଟେନର, ୧୫ଟି ଡିଟୋନେଟର, ଦୁଇଟି ମାଗାଜିନ୍, ଗୋଟିଏ ସିଲିଂ, ୨୦ଟି ୯ ମିମି ବଲ୍ ଆମୁନିସନ୍, ଗୋଟିଏ KM ଡିଜିଟାଲ୍ ମଲ୍ଟିମିଟର, ଗୋଟିଏ ଚାର୍ଜ ବ୍ୟାଟେରୀ, ଗୋଟିଏ ୱାକି-ଟକି ଓ ଦୁଇଟି ୱାକି-ଟକି ପାଉଚ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସମସ୍ତ ସାମଗ୍ରୀକୁ ନିୟମାନୁଯାୟୀ ଜବତ କରାଯାଇଛି। ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଉଦ୍ଧାର ହେବାକୁ ରାଉରକେଲା ପୋଲିସର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଏହାଦ୍ୱାରା ମାଓବାଦୀଙ୍କ ନେଟୱର୍କକୁ ଦୁର୍ବଳ କରିବା ସହ ସେମାନଙ୍କ ହିଂସାକାଣ୍ଡ ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧତା ଉପରେ ରୋକ ଲଗାଇବାରେ ସହାୟତା ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଗତ ମାର୍ଚ୍ଚ ୩୧ ତାରିଖରେ ଓଡ଼ିଶାକୁ ମାଓମୁକ୍ତ ରାଜ୍ୟ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏହି ଉଦ୍ଧାର ଅଭିଯାନକୁ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି।