ପୁଣି ଫୁଲୁଛି ବୈତରଣୀ, ବନ୍ୟା ଆଶଙ୍କା!
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 24, 202650 views

ଭଦ୍ରକ ଜିଲ୍ଲାରେ ପୁଣି ଦେଖାଦେଇଛି ବନ୍ୟା ଆଶଙ୍କା। ପୂର୍ବରୁ ବନ୍ୟାର ଦୁଃଖରୁ ଲୋକେ ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ବଢ଼ିଛି।
ଏହି ପରିସ୍ଥିତିକୁ ନଜରରେ ରଖି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ପ୍ରଚାର କରାଯାଇଛି। ବିଶେଷକରି ନଦୀକୂଳ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବା ସହ ପରିସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ନଦୀ, ନାଳ ଓ ବନ୍ୟାଜଳରେ ଗାଧୋଇବା, ପହଁରିବା କିମ୍ବା ଯାତାୟାତ ନକରିବାକୁ ସତର୍କ କରାଯାଇଛି। ବନ୍ୟାଜଳର ସ୍ରୋତ ଅତ୍ୟନ୍ତ ବିପଦଜନକ ହୋଇପାରେ। ତେଣୁ ନିଜ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।
ପରିସ୍ଥିତି ଅଧିକ ଗମ୍ଭୀର ହେଲେ ଲୋକମାନେ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ନିରାପଦ ସ୍ଥାନକୁ ଚାଲିଯିବା ଆବଶ୍ୟକ। ବନ୍ୟା ସମ୍ପର୍କିତ ନୂଆ ସୂଚନା ଓ ସତର୍କତା ପାଇଁ ପ୍ରଶାସନର ଘୋଷଣା ଏବଂ ସରକାରୀ ସୂଚନା ଉପରେ ନଜର ରଖନ୍ତୁ।
ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
