ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 24, 2026125 views

ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନ୍ତରାପୁର, ବଉଳିଗଡ ଓ ଗଡସନ୍ତ୍ରୀ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ ପକ୍ଷରୁ ଭକ୍ତପୁର, ଗଡସନ୍ତ୍ରୀ, ଅରାହାଟ, ବଉଳିଗଡ, ସିମିଲିଛୁଇଁ ଓ ଯୁହାରପୁର ଗ୍ରାମରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ୱାର୍ଡମେମ୍ବର ଓ କିଶୋରୀମାନେ ଯୋଗଦେଇଥିଲେ।
ବୈଠକରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମ ଏବଂ ଶିଶୁମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜିତ କରିବାର ଭୟାବହତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିୟୋଜନ ବିରୋଧରେ ଭାରତୀୟ ଆଇନରେ ଥିବା ଦଣ୍ଡବିଧାନ ଓ ନିୟମାବଳୀ ବିଷୟରେ ସଚେତନ କରାଯାଇଥିଲା।
ପ୍ରତ୍ୟେକ ଶିଶୁର ଚାରୋଟି ପ୍ରାଥମିକ ଅଧିକାର ଏବଂ ଶିଶୁମାନଙ୍କ ସୁରକ୍ଷା ପାଇଁ ସମାଜର ଦାୟିତ୍ୱ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ।
