ବିଜେପୁର NACକୁ ବିଶୁଦ୍ଧ ପାଣି ଯୋଗାଣ ସମସ୍ୟାର ସମାଧାନ ପାଇଁ ପମ୍ପହାଉସ ପରିଦର୍ଶନ
Bargarh (ବରଗଡ଼)ରିପୋର୍ଟ -ବଂଶୀଧର ନାୟକAugust 23, 20268 views

ବିଜେପୁର-ଖରାଦିନରେ ବିଜେପୁର NAC ଅଞ୍ଚଳକୁ ବିଶୁଦ୍ଧ ପାନୀୟଜଳ ଯୋଗାଣରେ ଦେଖାଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ଓ ବିକଳ୍ପ ବ୍ୟବସ୍ଥା କରିବା ନେଇ ଆଜି ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଏବଂ PHD ACଙ୍କ ସହ ଅଧିକାରୀମାନେ ବାନ୍ଧୁପାଳି ପମ୍ପହାଉସ ପରିଦର୍ଶନ କରିଛନ୍ତି।ଗ୍ରୀଷ୍ମ ଋତୁରେ ଜଳସ୍ତର ହ୍ରାସ ଓ ଅନ୍ୟାନ୍ୟ କାରଣରୁ ବିଜେପୁର NAC ଅଞ୍ଚଳରେ ପାନୀୟଜଳ ଯୋଗାଣ ପ୍ରଭାବିତ ହେଉଥିବା ଅଭିଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ସହ ବିକଳ୍ପ ଜଳ ଉତ୍ସ ଓ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ବିଧାୟକ ଶ୍ରୀ ଗଡ଼ତୀୟା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ପମ୍ପହାଉସରୁ NAC ଅଞ୍ଚଳକୁ ଜଳ ଯୋଗାଣର ବର୍ତ୍ତମାନ ସ୍ଥିତି, ଜଳ ସଂଗ୍ରହ ଓ ପମ୍ପିଂ ବ୍ୟବସ୍ଥା ଆଦିର ଅନୁଧ୍ୟାନ କରାଯାଇଥିଲା। ଖରାଦିନରେ ଯେପରି ଲୋକମାନେ ପାନୀୟଜଳ ପାଇଁ ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଶୀଘ୍ର ବିକଳ୍ପ ଯୋଜନା ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା।
ବିଜେପୁର ସହର ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କୁ ନିରବଚ୍ଛିନ୍ନ ଓ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ସମସ୍ୟାର ତୁରନ୍ତ ସମାଧାନ ସହ ଭବିଷ୍ୟତରେ ଜଳ ସଙ୍କଟ ନହେବା ପାଇଁ ଦୀର୍ଘମିଆଦୀ ଯୋଜନା କରାଯିବ ବୋଲି ଜଣାପଡ଼ିଛି।

