ରାସ୍ତା ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁର ଫାନ୍ଦ! ସାପ କାମୁଡ଼ାରେ କକା-ପୁତୁରା ମୃତ, ଜଣେ ଗୁରୁତର
Nuapada (ନୂଆପଡ଼ା)ଭଜନ ଲାଲ ଜଗତAugust 22, 202620 views

ସିନାପାଲି/ଖଡ଼ିଆଳ ୨୨/୦୮: ନିର୍ମାଣାଧୀନ ବ୍ରିଜ୍ କାମରେ ନିୟୋଜିତ ଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଘଟଣା ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୃତକ ଦୁଇଜଣ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ସେମାନେ ସମ୍ପର୍କରେ କକା-ପୁତୁରା। ଏହି ଘଟଣାରେ ତୁଳସୀ ବଗର୍ତ୍ତୀ ନାମକ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସିନାପାଲି ଥାନା ଅଞ୍ଚଳର ଗୋଲଧାଠାରେ ଏକ ବ୍ରିଜ୍ ନିର୍ମାଣ କାମ ଚାଲିଥିବା ବେଳେ ସେଠାରେ ଅନେକ ଶ୍ରମିକ କ୍ୟାମ୍ପ କରି ରହୁଥିଲେ। ଗତକାଲି ରାତିରେ ଖାଇପିଇ ସାରି ଶ୍ରମିକମାନେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିବା ଅଭିଯୋଗ ହୋଇଛି। ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ତୁରନ୍ତ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦଇତାରି ଓ ଭରତଙ୍କୁ ମୃତ ଘୋଷଣା କରିଥିଲେ। ତୁଳସୀ ବଗର୍ତ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଚିକିତ୍ସା ଜାରି ରହିଛି।
ଶ୍ରମିକ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ଏହି ଦୁଃଖଦ ଘଟଣା ପରେ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ଓ ରହଣି ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିଶେଷକରି ବର୍ଷା ଋତୁରେ ଶ୍ରମିକମାନଙ୍କ ରହିବା ପାଇଁ ଠିକାଦାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଓ ସୁରକ୍ଷିତ କ୍ୟାମ୍ପ ବ୍ୟବସ୍ଥା କରାଯାଇଥିଲା କି ନାହିଁ, ତାହା ଏବେ ତଦନ୍ତର ବିଷୟ ହୋଇଛି। ଶ୍ରମିକମାନଙ୍କ ଶୋଇବା ପାଇଁ ଖଟ, ମଶାରି ଏବଂ ବିଷାକ୍ତ ସାପ ଭଳି ସରୀସୃପଙ୍କ ଠାରୁ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଉତ୍ତର ମାଗିଲେ କମଲ ଚରଣ ତାଣ୍ଡି
ଘଟଣାକୁ ନେଇ ଖଡ଼ିଆଳ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଶ୍ରୀ କମଲ ଚରଣ ତାଣ୍ଡି ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ମାଣ କାମ ଆରମ୍ଭ ପୂର୍ବରୁ ଶ୍ରମିକଙ୍କ ସୁରକ୍ଷିତ ରହଣି, ଶୋଇବା ବ୍ୟବସ୍ଥା ଓ ଆବଶ୍ୟକ ସୁରକ୍ଷା ସୁବିଧା ସୁନିଶ୍ଚିତ କରାଯାଇଥିଲା କି ନାହିଁ, ସେନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ସେ କହିଛନ୍ତି।
ଦୁଇ ଶ୍ରମିକଙ୍କ ଅକାଳ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି କେତେ ଗୁରୁତ୍ୱ ଦିଆଯାଉଛି, ତାହା ନେଇ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ମୃତକଙ୍କ ପରିବାରକୁ ଉଚିତ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।

