--:--:--
-- ---
Srishti News

ଧାନ କାର୍ଡ ପଞ୍ଜୀକରଣରେ ବିଭ୍ରାଟ: ଅସନ୍ତୋଷରେ ଚାଷୀ, ବିଳାସପୁର ସୋସାଇଟିରେ ତାଲା

Bargarh (ବରଗଡ଼)ବଂଶୀଧର ନାୟକAugust 22, 20267 views
ଧାନ କାର୍ଡ ପଞ୍ଜୀକରଣରେ ବିଭ୍ରାଟ: ଅସନ୍ତୋଷରେ ଚାଷୀ, ବିଳାସପୁର ସୋସାଇଟିରେ ତାଲା
ଝାରବନ୍ଧ, ୨୨/୦୮: ଧାନ ବିକ୍ରି ପାଇଁ ଆବଶ୍ୟକ ଧାନ କାର୍ଡ ପଞ୍ଜୀକରଣ ଚାଷୀଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ପ୍ୟାକ୍ସ ଅଧୀନ ବିଳାସପୁର ସୋସାଇଟିରେ ଚଳିତ ବର୍ଷ କେତେକ ଜମିର ଧାନ ବିକ୍ରି ପଞ୍ଜୀକରଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ପୂର୍ବ ବର୍ଷଗୁଡ଼ିକରେ ‘ଆଟ’ ଓ ସାଧାରଣ କିସମ ଜମିରେ ଚାଷ ହୋଇଥିବା ଧାନର ବିକ୍ରି ପାଇଁ ପଞ୍ଜୀକରଣ କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ସେହି ଜମିରେ ଧାନ ଚାଷ ହୋଇଥିଲେ ମଧ୍ୟ ପଞ୍ଜୀକରଣ ହୋଇପାରୁନଥିବାରୁ ଚାଷୀମାନେ ଅସୁବିଧାରେ ପଡ଼ିଛନ୍ତି। ଏହି ସମସ୍ୟା ସମାଧାନ ପାଇଁ କୃଷକ ସଂଗଠନ ପକ୍ଷରୁ ଅନେକଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ଫିଟିନଥିବା ଅଭିଯୋଗ ହୋଇଛି। ଫଳରେ କ୍ଷୁବ୍ଧ ଚାଷୀମାନେ ନାରାୟଣ ବେହେରା, ସାଗର ଚନ୍ଦ୍ରକାର ଓ ମନୋରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ବିଳାସପୁର ସୋସାଇଟିରେ ତାଲା ପକାଇଛନ୍ତି। ଏଥିଯୋଗୁଁ ଧାନ କାର୍ଡ ପଞ୍ଜୀକରଣ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରହିଛି। ଚାଷୀମାନଙ୍କ କହିବା ଅନୁସାରେ, ଜମିରେ ଧାନ ଚାଷ ହୋଇଥିବା ସତ୍ତ୍ୱେ ଯଦି ପଞ୍ଜୀକରଣ ନହୁଏ, ତେବେ ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ବିକ୍ରି କରିବା ନେଇ ସେମାନେ ସମସ୍ୟାରେ ପଡ଼ିପାରନ୍ତି। ତେଣୁ ତୁରନ୍ତ ସମସ୍ୟାର ସମାଧାନ କରି ‘ଆଟ’ କିସମ ଜମିର ଧାନ ପଞ୍ଜୀକରଣ ସୁବିଧା ଦେବାକୁ ସେମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଏହି ପଞ୍ଜୀକରଣ ସମସ୍ୟାର ସମାଧାନ ନହେଲେ ଚାଷୀମାନେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ପ୍ରଶାସନ କେବେ ଏହି ସମସ୍ୟାର ସମାଧାନ କରୁଛି, ତାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅପେକ୍ଷା ଲାଗି ରହିଛି।