--:--:--
-- ---
Srishti News

ଖଡ଼ିଆଳରେ ଫୁଟବଲ ମହାକୁମ୍ଭ-୨୦୨୬ ପାଇଁ ପ୍ରସ୍ତୁତି: ୬୯ ଦଳକୁ ନେଇ ସେପ୍ଟେମ୍ବର ୨୦ରୁ ମହାସମର

Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତAugust 22, 202617 views
ଖଡ଼ିଆଳରେ ଫୁଟବଲ ମହାକୁମ୍ଭ-୨୦୨୬ ପାଇଁ ପ୍ରସ୍ତୁତି: ୬୯ ଦଳକୁ ନେଇ ସେପ୍ଟେମ୍ବର ୨୦ରୁ ମହାସମର
ନୂଆପଡ଼ା, ୨୧/୦୮: ଗ୍ରାମାଞ୍ଚଳର ଫୁଟବଲ ପ୍ରତିଭାକୁ ମଞ୍ଚ ଦେବା ସହ ଯୁବପିଢ଼ି ମଧ୍ୟରେ କ୍ରୀଡ଼ା ମନୋଭାବ ବିକାଶ ଲକ୍ଷ୍ୟରେ ଖଡ଼ିଆଳରେ ଚତୁର୍ଥ ‘ଫୁଟବଲ ମହାକୁମ୍ଭ-୨୦୨୬’ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ କେ.ସି.ଏସ୍‌.ଏ. (KCSA) ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଧାୟକ ଅଧିରାଜ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆସନ୍ତା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଖଡ଼ିଆଳ ରାଜା ଏ.ଟି. ଖେଳ ପଡ଼ିଆରେ ଏହି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅଧୀନ ବୋଡ଼େନ, ସିନାପାଲି ଓ ଖଡ଼ିଆଳ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ସମେତ ଖଡ଼ିଆଳ ଏନ୍‌ଏସିରୁ ମୋଟ ୬୯ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ନିଜ ପଞ୍ଚାୟତର ଖେଳାଳିମାନେ ହିଁ ଦଳରେ ସାମିଲ ହୋଇପାରିବେ। KCSA ସଭାପତି ସନ୍ତୋଷ ପଟ୍ଟନାୟକ, ଆୟୋଜନ କମିଟି ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଛବି ସାଗରଙ୍କ ଆମନ୍ତ୍ରଣକ୍ରମେ ଆୟୋଜିତ ବୈଠକରେ କମିଟିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ସୁଚାରୁ ଭାବେ ପ୍ରତିଯୋଗିତା ପରିଚାଳନା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି। ପ୍ରତିଯୋଗିତାର ସମସ୍ତ ଖର୍ଚ୍ଚ ବିଧାୟକ ଅଧିରାଜ ପାଣିଗ୍ରାହୀ ବହନ କରିବା ସହ ପ୍ରତ୍ୟେକ ଦଳର ଖେଳାଳିଙ୍କୁ ଜର୍ସି ପ୍ରଦାନ କରିବେ। ଏଥର ପ୍ରତ୍ୟେକ ପଞ୍ଚାୟତର ଜର୍ସିର ରଙ୍ଗ ସହ ସମନ୍ୱୟ ରଖି ପତାକା ମଧ୍ୟ ପ୍ରସ୍ତୁତ କରାଯିବ। ପ୍ରତିଯୋଗିତାରେ ରେଫରୀଙ୍କ ନିଷ୍ପତ୍ତିକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ଏହାସହ ସମସ୍ତ ମ୍ୟାଚର ସିଧାପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଫୁଟବଲ ମହାକୁମ୍ଭ ମାଧ୍ୟମରେ ଗ୍ରାମାଞ୍ଚଳରେ ଲୁଚି ରହିଥିବା ଅନେକ ପ୍ରତିଭାବାନ ଖେଳାଳିଙ୍କୁ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳିବ। ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ପାଇବାର ଆଶା ରହିଛି। ପ୍ରତିବର୍ଷ ଏଭଳି ବୃହତ୍‌ କ୍ରୀଡ଼ା ଆୟୋଜନ କରି ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରୁଥିବାରୁ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଉଦ୍ୟମକୁ ଫୁଟବଲପ୍ରେମୀ ଓ କ୍ରୀଡ଼ାପ୍ରେମୀମାନେ ପ୍ରଶଂସା କରିଛନ୍ତି।