ବୋଦୁଅ ଦଳିତ ସାହିରେ ଜଳବନ୍ଦୀ ଜୀବନ: ଦୁର୍ଗନ୍ଧରେ ଅସୁସ୍ଥ ଲୋକେ, ଦୀର୍ଘଦିନ ଧରି ବନ୍ଦ ରାସ୍ତା; ପ୍ରଶାସନ ନିରବ
Jajpur (ଯାଜପୁର)ବରୀରୁ ନିର୍ମଳ ଜେନାAugust 22, 202630 views

ବରୀ, ୨୨/୦୮: ବନ୍ୟାଜଳ କମିଛି, ହେଲେ ଯାଜପୁର ଜିଲ୍ଲା ବରୀ ବ୍ଲକ ବୋଦୁଅ ପଞ୍ଚାୟତର ୧୩ ନମ୍ବର ୱାର୍ଡ ଦଳିତ ସାହିବାସୀଙ୍କ ଦୁର୍ଦ୍ଦଶା କମିନାହିଁ। ଦୀର୍ଘଦିନ ଧରି ସାହି ରାସ୍ତାରେ ପ୍ରାୟ ଦୁଇ ଫୁଟ ଉଚ୍ଚତାରେ ପାଣି ଜମି ରହିଥିବାରୁ ପ୍ରାୟ ୬୦ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ପାଣି ନିଷ୍କାସନର କୌଣସି ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସମସ୍ୟା ଦିନକୁ ଦିନ ଗମ୍ଭୀର ହେଉଛି।
ସାହି ରାସ୍ତାରେ ଜମିଥିବା ଦୂଷିତ ପାଣିରେ ଆବର୍ଜନା ଓ ପଶୁଙ୍କ ମଳମୂତ୍ର ମିଶି ଯାଇଥିବାରୁ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଜ୍ୱର, ଚର୍ମରୋଗ ଓ ତରଳ ଝାଡ଼ା ଭଳି ରୋଗ ବ୍ୟାପିବାର ଅଭିଯୋଗ ହୋଇଛି। ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧମାନେ ଏଥିରେ ଅଧିକ ପ୍ରଭାବିତ ହେଉଥିବା ସାହିବାସୀ କହିଛନ୍ତି।
ସାହିର ରାସ୍ତା ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ଓ ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ମଧ୍ୟ ଦୁର୍ହର ହୋଇପଡ଼ିଛି। ଘରୁ ବାହାରିବାକୁ ହେଲେ ଦୂଷିତ ପାଣି ମଧ୍ୟରେ ଯିବାକୁ ପଡ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ। ଏପର୍ଯ୍ୟନ୍ତ ପ୍ରଶାସନର କୌଣସି ଅଧିକାରୀ ସାହିରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ତୁରନ୍ତ ଦୂଷିତ ପାଣି ନିଷ୍କାସନ, ରାସ୍ତା ମରାମତି ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସାହିବାସୀ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏକ ଦଳିତ ବସ୍ତି ଏଭଳି ଅବ୍ୟବସ୍ଥାରେ ପଡ଼ି ରହିଥିବା ବେଳେ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ଉଠିଛି।
