--:--:--
-- ---
Srishti News

ପ୍ରାଣୀପାଳନରେ ସ୍ୱାବଲମ୍ବନ ଉପରେ ନୂଆପାଡ଼ା ପ୍ରଶାସନର ଗୁରୁତ୍ୱ: ମାସିକ ସମୀକ୍ଷା ବୈଠକରେ ଉନ୍ନତିର ରୋଡ୍‌ମ୍ୟାପ୍; ସଫଳ ପ୍ରାଣୀପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

Nuapada (ନୂଆପଡ଼ା)ବିଜୟ ବରିହାAugust 22, 202612 views
ପ୍ରାଣୀପାଳନରେ ସ୍ୱାବଲମ୍ବନ ଉପରେ ନୂଆପାଡ଼ା ପ୍ରଶାସନର ଗୁରୁତ୍ୱ: ମାସିକ ସମୀକ୍ଷା ବୈଠକରେ ଉନ୍ନତିର ରୋଡ୍‌ମ୍ୟାପ୍; ସଫଳ ପ୍ରାଣୀପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
ନୂଆପାଡ଼ା, ୨୧/୦୮: ପ୍ରାଣୀପାଳନକୁ ଜୀବିକାର ଏକ ସଶକ୍ତ ମାଧ୍ୟମରେ ପରିଣତ କରି ପ୍ରାଣୀପାଳକଙ୍କୁ ସ୍ୱାବଲମ୍ବୀ କରିବା ଉପରେ ନୂଆପାଡ଼ା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକରେ ବିଭାଗୀୟ ଯୋଜନାର ଅଗ୍ରଗତି ସହ ପ୍ରାଣୀପାଳକଙ୍କ ଆୟ ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ ଚାଲୁଥିବା ବିଭିନ୍ନ ପ୍ରାଣୀପାଳନ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଅଗ୍ରଣୀ ପ୍ରାଣୀପାଳକମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ସିନାପାଲି ବ୍ଲକ୍‌ର ଶାନ୍ତି ବଗର୍ତ୍ତି, ୨,୦୦୦ କୁକୁଡ଼ା ପାଳନ ଯୋଜନାରେ ବୋଡ଼େନ ବ୍ଲକ୍‌ର ଭ୍ରମର ସିଂହ ମାଝୀ, ୩୦+୨ ମେଣ୍ଢା ପାଳନ ଯୋଜନାରେ କୋମନା ବ୍ଲକ୍‌ର ପ୍ରେମଶିଳା ପୁଞ୍ଜି, ୨,୫୦୦ କୁକୁଡ଼ା ପାଳନ ଯୋଜନାରେ ନୂଆପାଡ଼ା ବ୍ଲକ୍‌ର ହିରନ୍ତିନି ବାଗ ଏବଂ ୩,୦୦୦ କୁକୁଡ଼ା ପାଳନ ଯୋଜନାରେ ଖରିଆର ବ୍ଲକ୍‌ର ମାଧୁରୀଙ୍କୁ ସମ୍ମାନିତ କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଗୃହପାଳିତ ପ୍ରାଣୀଙ୍କ ବୀମାକରଣ ଓ ଟୀକାକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଘାସ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ସହ ପ୍ରାଣୀପାଳକଙ୍କ ଆୟ ବଢ଼ାଇବା ଦିଗରେ ଯୋଜନାଗୁଡ଼ିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାର ପ୍ରାଣୀପାଳକମାନେ ଯେପରି ଯୋଜନାର ସୁଯୋଗ ନେଇ ନିଜ ଜୀବିକାକୁ ସୁଦୃଢ଼ କରିପାରିବେ, ସେଥିପାଇଁ କ୍ଷେତ୍ରସ୍ତରରେ ସଚେତନତା ଓ ସେବା ପ୍ରଦାନକୁ ଅଧିକ ସକ୍ରିୟ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍‌ର ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ ସମ୍ମାନିତ ପ୍ରାଣୀପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।