ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ, ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ
Jajpur (ଯାଜପୁର)ଯାଜପୁର, ବିଂଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟAugust 22, 202630 views

ବନ୍ୟା ଦୁର୍ଗତଙ୍କ ପାଖରେ ସମାଜସେବୀଙ୍କ ମାନବିକତା
ବିଂଝାରପୁର, ୨୨/୦୮: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର, ଜରି ଓ କଲ୍ୟାଣପୁର ଅଞ୍ଚଳରେ ବନ୍ୟାଜଳ ଘେରରେ ରହୁଥିବା ପରିବାରଙ୍କ ପାଖରେ ପହଞ୍ଚିଛି ସମାଜସେବୀଙ୍କ ସହାୟତାର ହାତ। ବିପଦ ସମୟରେ ଜଳବନ୍ଦୀ ଲୋକଙ୍କ ଦୁଃଖରେ ସାମିଲ ହୋଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି ସମାଜସେବୀମାନେ।
ମଲିଆ ଦାଣ୍ଡିସାହି ନିବାସୀ ବିଶିଷ୍ଟ ସମାଜସେବୀ ତଥା ପିପୂଲ୍ସ କେୟାର ଫାଉଣ୍ଡେସନର ଚେୟାରମ୍ୟାନ୍ ସୁଶାନ୍ତ ଜେନା ଏବଂ ଖରସ୍ରୋତା ପୁସ୍ତକ କମିଟିର ଅଧ୍ୟକ୍ଷ ତଥା ରଜମହୋତ୍ସବର ଉଦ୍ୟୋକ୍ତା ପଦ୍ମାକର ଗୁରୁଙ୍କ ମିଳିତ ଉଦ୍ୟମରେ ଏହି ସହାୟତା ପ୍ରଦାନ କରାଯାଇଥିଲା।
ନିଜସ୍ୱ ଉଦ୍ୟମରେ ସେମାନେ ବନ୍ୟାପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ସହିତ ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ଦୁର୍ଗତ ପରିବାରଗୁଡ଼ିକର ସୁଖଦୁଃଖ ବୁଝିବା ସହ ବନ୍ୟା ପରିସ୍ଥିତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ବନ୍ୟା ଭଳି ଦୁର୍ବିପାକ ସମୟରେ ସମାଜର ସକ୍ଷମ ବ୍ୟକ୍ତିମାନେ ଆଗେଇ ଆସି ଅସହାୟଙ୍କୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ସମାଜସେବୀମାନେ ମତ ଦେଇଥିଲେ। “ଥିଲାବାଲା ଦିଅନ୍ତୁ, ନଥିବା ଲୋକ ନିଅନ୍ତୁ”—ଏହି ମାନବିକ ବାର୍ତ୍ତା ନେଇ ସେମାନେ ବନ୍ୟା ଦୁର୍ଗତଙ୍କ ପାଖରେ ଛିଡ଼ା ହୋଇଥିଲେ।
ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ବିପଦ ସମୟରେ ଅସହାୟ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ମାନବିକତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ମତ ପ୍ରକାଶ ପାଇଛି।
