ପର୍ଯ୍ୟଟନ ମାନଚିତ୍ରରେ ନୂଆପଡ଼ାକୁ ନୂଆ ପରିଚୟ ଦେବାକୁ ପ୍ରୟାସ; ‘ଟୁରିଜମ୍ ହବ୍’ ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ
Nuapada (ନୂଆପଡ଼ା)ବିଜୟ ବରିହାAugust 20, 202626 views

ନୂଆପଡ଼ା, ୨୦/୦୮: ପ୍ରାକୃତିକ ସୌନ୍ଦର୍ଯ୍ୟ, ଜଙ୍ଗଲ, ଜଳପ୍ରପାତ, ଐତିହ୍ୟ ଓ ସାଂସ୍କୃତିକ ବିବିଧତାରେ ସମୃଦ୍ଧ ନୂଆପଡ଼ା ଜିଲ୍ଲାକୁ ଏକ ପ୍ରମୁଖ ‘ଟୁରିଜମ୍ ହବ୍’ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସି ପ୍ରତିନିଧିଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ନୂଆପଡ଼ାରେ ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ସୁଚିନ୍ତିତ ଓ ସମନ୍ୱିତ ଢଙ୍ଗରେ ଲୋକଲୋଚନକୁ ଆଣି ପର୍ଯ୍ୟଟନକୁ ଜିଲ୍ଲାର ଏକ ପ୍ରମୁଖ ଆର୍ଥିକ କ୍ଷେତ୍ରରେ ପରିଣତ କରିବା ଆବଶ୍ୟକ। ଏହା ଦ୍ୱାରା ସ୍ଥାନୀୟ ରୋଜଗାର ସୃଷ୍ଟି ସହ ଜିଲ୍ଲାର ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିପାରିବ ବୋଲି ସେ ମତ ଦେଇଥିଲେ।
ନୂଆପଡ଼ାର ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ ସୁନାବେଡ଼ା ଅଭୟାରଣ୍ୟ, ପାଟୋରା ଜଳଭଣ୍ଡାର, ଗୋଧାସ ଓ ବେନିଆଧୁସ୍ ଜଳପ୍ରପାତ, ବୁଢ଼ୀକୋମନାର ଐତିହାସିକ ପାତାଳେଶ୍ୱର ମନ୍ଦିର ଆଦିର ବ୍ୟାପକ ପ୍ରଚାର-ପ୍ରସାର ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ, ରହଣି, ଯାତାୟାତ ଓ ଆବଶ୍ୟକୀୟ ସୂଚନାକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବାକୁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ୱେବସାଇଟ୍ ବିକଶିତ କରାଯିବ ବୋଲି ଜଣାପଡ଼ିଛି।
ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ନିବେଶକୁ ଉତ୍ସାହିତ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଓଡ଼ିଶା ପର୍ଯ୍ୟଟନ (ସଂଶୋଧନ) ନୀତି, ୨୦୨୬ ଏବଂ ଯୋଗ୍ୟ ପର୍ଯ୍ୟଟନ ୟୁନିଟ୍ ପାଇଁ ଉପଲବ୍ଧ ପୁଞ୍ଜିନିବେଶ ଅନୁଦାନ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା। ନୂତନ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଆଗ୍ରହୀ ନିବେଶକମାନେ Go-SWIFT ପୋର୍ଟାଲ ମାଧ୍ୟମରେ ଆବେଦନ କରି ସରକାରୀ ପ୍ରୋତ୍ସାହନର ସୁଯୋଗ ନେଇପାରିବେ।
ସ୍ଥାନୀୟ କାରିଗରଙ୍କ କଳା ଓ ସୃଜନଶୀଳତାକୁ ପର୍ଯ୍ୟଟନ ସହ ଯୋଡ଼ିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। କାରିଗରଙ୍କ ଉତ୍ପାଦକୁ ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଆୟ ବୃଦ୍ଧି ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ଏଥିସହ ନୂଆପଡ଼ାରେ ଆଗ୍ରି-ଟୁରିଜମ୍ ବିକାଶର ସମ୍ଭାବନା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ପର୍ଯ୍ୟଟନ ବିକାଶ ସହ ପରିବେଶ ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ହୋଟେଲ ମାଲିକମାନେ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବା ସହ ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ରକ୍ଷାରେ ସକ୍ରିୟ ସହଯୋଗ କରିବାକୁ ସେ କହିଥିଲେ। ଏଥିସହ ହୋଟେଲ ମାଲିକଙ୍କ ମଧ୍ୟରେ ସମନ୍ୱୟ ବଢ଼ାଇବା ପାଇଁ ଏକ ସଂଗଠିତ ମଞ୍ଚ ଗଠନ ଉପରେ ମଧ୍ୟ ମତବିନିମୟ ହୋଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର ସାହୁ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ୍ ଖାନ୍, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ ଜେନା, ଡେପୁଟି ଜିଲ୍ଲାପାଳ ଶେଖ ନସିମ୍ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ହୋଟେଲ ମାଲିକ ଓ ଟ୍ରାଭେଲ ଏଜେନ୍ସି ପ୍ରତିନିଧି ଉପସ୍ଥିତ ଥିଲେ।
