--:--:--
-- ---
Srishti News

ଅବହେଳାରେ ଐତିହ୍ୟସମ୍ପନ୍ନ ରାଜନଅର ବାମ୍ଫି; ପୁନରୁଦ୍ଧାର ପାଇଁ ଦାବି: ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?

Ganjam (ଗଞ୍ଜାମ)ଖଲ୍ଲିକୋଟରୁ ଶିବରାମ ଜେନାAugust 19, 2026147 views
ଅବହେଳାରେ ଐତିହ୍ୟସମ୍ପନ୍ନ ରାଜନଅର ବାମ୍ଫି; ପୁନରୁଦ୍ଧାର ପାଇଁ ଦାବି: ସରକାରଙ୍କ ଦୃଷ୍ଟି ପଡ଼ିବ କେବେ?
ଗଞ୍ଜାମ/ଖଲ୍ଲିକୋଟ, ଐତିହ୍ୟ ଓ ଇତିହାସର ଗୌରବମୟ ଅଧ୍ୟାୟକୁ ବହନ କରୁଥିବା ଖଲ୍ଲିକୋଟ ଅଞ୍ଚଳର ରାଜନଅର ବାମ୍ଫି ଆଜି ଅବହେଳାର ଶିକାର ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଓଡ଼ିଶାରେ ବିରଳ ଐତିହାସିକ ନିର୍ମାଣ ଭାବେ ପରିଚିତ ଏହି ବାମ୍ଫିର ସୁରକ୍ଷା ଓ ପୁନରୁଦ୍ଧାର ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଖଲ୍ଲିକୋଟ ରାଜବଂଶର ଐତିହାସିକ ଅବଦାନ ଅତୁଳନୀୟ। ଜମିଦାରୀ ଉଚ୍ଛେଦ ପରେ ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ୨୧ ନଭେମ୍ବର ୧୯୫୬ରେ ତତ୍କାଳୀନ ଜିଲ୍ଲାପାଳ ଏଚ୍.କେ. ଘୋଷଙ୍କ ସମୟରେ ସରକାରଙ୍କୁ ଏହି ସମ୍ପତ୍ତି ବିକ୍ରୟ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଏଠାରେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ ରହିଛି। ତେବେ ଅନୁଷ୍ଠାନର ଉନ୍ନତିମୂଳକ କାର୍ଯ୍ୟ ସମୟରେ ରାଜଉଆସର ଐତିହ୍ୟସମ୍ପନ୍ନ କିଛି ଅଂଶର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଣା ଐତିହ୍ୟକୁ ସଂରକ୍ଷଣ ଓ ପୁନରୁଦ୍ଧାର କରିବା ବଦଳରେ ଇଟା ଓ ସିମେଣ୍ଟରେ ନୂତନ ନିର୍ମାଣ କରାଯାଉଥିବା ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ରାଜନଅର ବାମ୍ଫିର ଚତୁଃପାର୍ଶ୍ୱରେ ଗଛଲତା ମାଡ଼ିଯାଇଥିବା ବେଳେ ବାହାର ଲୋକେ ଘରର ଅଳିଆ ଆବର୍ଜନା ଏଠାରେ ପକାଉଥିବା ଅଭିଯୋଗ ହୋଇଛି। ଫଳରେ ଐତିହାସିକ ବାମ୍ଫିଟି ଧୀରେ ଧୀରେ ଅବ୍ୟବହାରଯୋଗ୍ୟ ଓ ବିପଦସଙ୍କୁଳ ହେବାକୁ ବସିଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ତଥା ସ୍ୱତନ୍ତ୍ର ପ୍ରତିନିଧି ଶିବରାମ ଜେନାଙ୍କ ପକ୍ଷରୁ ବିଭିନ୍ନ ସମୟରେ ଖବର ପ୍ରସାରଣ ଓ ଦାବି ଉଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଐତିହ୍ୟର ସୁରକ୍ଷା ପ୍ରତି ପ୍ରଶାସନର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ସୂଚନାନୁସାରେ, ଚାରୁ ଓ କାରୁକଳା ମହାବିଦ୍ୟାଳୟ ଅନୁଷ୍ଠାନ ନାମରେ ପ୍ରାୟ ୧୭ ଏକର ଜମି ଥିବାବେଳେ ଏଥିରୁ ପ୍ରାୟ ୫ ଏକର ଅଞ୍ଚଳ ସମ୍ପର୍କରେ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ଅବଶିଷ୍ଟ ଜମିର ବର୍ତ୍ତମାନ ସ୍ଥିତି ଓ ଦଖଲ ସମ୍ପର୍କରେ ତଦନ୍ତ କରି ସ୍ପଷ୍ଟତା ଆଣିବା ସହ ଯଦି କୌଣସି ବେଆଇନ ଦଖଲ ରହିଛି, ତେବେ ତାହା ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ଐତିହାସିକ ରାଜନଅର ବାମ୍ଫିର ସୁରକ୍ଷା, ସଫେଇ, ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ କରାଗଲେ ଏହା ଖଲ୍ଲିକୋଟର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ ହୋଇପାରିବ। ତେଣୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏହି ଐତିହ୍ୟସମ୍ପଦ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଉ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।