--:--:--
-- ---
Srishti News

କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁର୍ଦ୍ଦଶାର ହେବ ଅବସାନ

Bargarh (ବରଗଡ଼)ରିପୋର୍ଟ ବଂଶୀଧର ନାୟକAugust 19, 20269 views
କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁର୍ଦ୍ଦଶାର ହେବ ଅବସାନ
ବରପାଲି -ଦୀର୍ଘବର୍ଷର ପ୍ରତୀକ୍ଷା, ଦୁର୍ଦ୍ଦଶା ଓ ଅନିଶ୍ଚିତତାର ଅନ୍ତ ଘଟିବାକୁ ଯାଉଛି। ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀରୁ ରେମତା ଯାଉଥିବା ପୂର୍ତ୍ତ ବିଭାଗ ରାସ୍ତାର ବୁରୋଗାଡ଼ ନାଳ ଉପରେ ଏକ ଉଚ୍ଚସ୍ତରୀୟ ପୋଲ ନିର୍ମାଣ ପାଇଁ ୨୮ କୋଟି ୭୫ ଲକ୍ଷ ୮୮ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ବିଭାଗୀୟ ସୂଚନା ଅନୁଯାୟୀ, ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେବା ପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ପୋଲ ନିର୍ମାଣ ହେଲେ ବିଶେଷକରି ବର୍ଷା ଋତୁରେ କୁମ୍ଭାରୀ ଓ ଏହାର ଆଖପାଖ ଅଞ୍ଚଳର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ବୁରୋଗାଡ଼ ନାଳ ବର୍ଷାଦିନରେ ଅଞ୍ଚଳବାସୀଙ୍କ ପାଇଁ ଦୀର୍ଘଦିନ ଧରି ଏକ ବଡ଼ ସମସ୍ୟା ପାଲଟିଥିଲା। ପ୍ରତିବର୍ଷ ବର୍ଷା ହେଲେ ନାଳରେ ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଉଥିଲା। ଫଳରେ କୁମ୍ଭାରୀ ଓ ଆଖପାଖ ଅଞ୍ଚଳ ବାହ୍ୟଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ୁଥିଲା। ବିଶେଷକରି ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା, ଛାତ୍ରଛାତ୍ରୀଙ୍କ ସ୍କୁଲ-କଲେଜ ଯାତାୟାତ ଓ ଦୈନନ୍ଦିନ ଆବଶ୍ୟକତା ପୂରଣରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ସମୟରେ ଲୋକମାନେ ବନ୍ୟାଜଳ ମଧ୍ୟରେ ନାଳ ପାର ହେବାକୁ ବାଧ୍ୟ ହେଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ୁଥିଲା। ପୋଲ ନିର୍ମାଣ ହେଲେ ଏହି ସମସ୍ୟାରୁ କୁମ୍ଭାରୀବାସୀଙ୍କୁ ସ୍ଥାୟୀ ମୁକ୍ତି ମିଳିବା ସହ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ଓ କୃଷି ସମେତ ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ କୁମ୍ଭାରୀ ଓ ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି।ଏଥିପାଇଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ପ୍ରଶଂସା କରିଛନ୍ତି। ବୁରୋଗାଡ଼ ନାଳ ଉପରେ ପୋଲ ନିର୍ମାଣ କେବଳ ଏକ ଭିତ୍ତିଭୂମି ପ୍ରକଳ୍ପ ନୁହେଁ, ବରଂ କୁମ୍ଭାରୀବାସୀଙ୍କ ଦୀର୍ଘବର୍ଷର ଦୁଃଖ, ଦୁର୍ଦ୍ଦଶା ଓ ଅପେକ୍ଷାର ଅନ୍ତ ଘଟାଇ ଏକ ନୂଆ ଆଶାର ସେତୁ ଗଢ଼ିବାର ପଦକ୍ଷେପ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।