--:--:--
-- ---
Srishti News

ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନୁହେଁ, ସମୟସୀମାରେ ସମ୍ପୂର୍ଣ୍ଣ କର: ବିଧାୟକ

Nuapada (ନୂଆପଡ଼ା)ଭଜନ ଲାଲ ଜଗତ, ଖଡ଼ିଆଳAugust 19, 202634 views
ଉନ୍ନୟନ କାର୍ଯ୍ୟରେ ବିଳମ୍ବ ନୁହେଁ, ସମୟସୀମାରେ ସମ୍ପୂର୍ଣ୍ଣ କର: ବିଧାୟକ
ଖଡ଼ିଆଳ : ଖଡ଼ିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ୍‌ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ବ୍ଲକ୍ ଅଞ୍ଚଳରେ ଚାଲୁଥିବା ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ଲୋକଙ୍କ ମୌଳିକ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବା ପାଇଁ ବିଧାୟକ ଆହ୍ୱାନ ଦେଇଥିଲେ। ବିଶେଷକରି ବିଦ୍ୟୁତ, ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଏବଂ ଗ୍ରାମପଞ୍ଚାୟତଗୁଡ଼ିକୁ ସଡ଼କ ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇ ଶୀଘ୍ର ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଅନୁପସ୍ଥିତ ଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କ ପାନୀୟ ଜଳ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ସମୀକ୍ଷା ବୈଠକରେ ସମ୍ପୃକ୍ତ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖଡ଼ିଆଳ ବ୍ଲକ୍‌ରେ ଏବେ ବି ସଡ଼କ ସଂଯୋଗରୁ ବଞ୍ଚିତ ଥିବା ଗ୍ରାମଗୁଡ଼ିକର ଚିହ୍ନଟ କରି ସେଠାକୁ ଯାତାୟାତ ବ୍ୟବସ୍ଥା ସୁଗମ କରିବା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ବିଧାୟକ ପରାମର୍ଶ ଦେଇଥିଲେ। ବୈଠକରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଓ ତନୟ ଶବରଙ୍କ ସମେତ ବ୍ଲକ୍‌ର ସମସ୍ତ ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ବୈଠକରେ ଅଞ୍ଚଳର ବିଭିନ୍ନ ଉନ୍ନୟନ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।