ଖୋଲାରେ ଅଳିଆ ପକାଇଲେ ୧,୦୦୦ ଟଙ୍କା ଜରିମାନା :ଭୁବନେଶ୍ୱରରେ BMCର କଡ଼ା କଟକଣା, ସଫେଇ ଗାଡ଼ିକୁ ଅଳିଆ ଦେବା ବାଧ୍ୟତାମୂଳକ
Bhubaneswar (ଭୁବନେଶ୍ୱର)Sushant MahakudAugust 19, 202621 views

ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ ନୂଆ କଡ଼ା ନିୟମ ଲାଗୁ କରାଯାଇଛି। ଏଣିକି ଖୋଲାରେ, ରାସ୍ତାଘାଟ, ଗଳିକନ୍ଦି କିମ୍ବା ସର୍ବସାଧାରଣ ସ୍ଥାନରେ ଅଳିଆ-ଆବର୍ଜନା ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।
BMCର “ଆମ ସହର, ଆମ ଗର୍ବ” ଅଭିଯାନ ଅଧୀନରେ ଏହି ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଯେଉଁଠି ସେଠି ଅଳିଆ ଫିଙ୍ଗିବା ପରିବର୍ତ୍ତେ କେବଳ BMCର ଘରକୁ ଘର ବୁଲୁଥିବା ସଫେଇ ଗାଡ଼ିକୁ ହିଁ ଅଳିଆ ପ୍ରଦାନ କରିବେ। ଏହାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି BMC ସ୍ପଷ୍ଟ କରିଛି।
ସହରବାସୀଙ୍କୁ ସଚେତନ କରିବା ପାଇଁ BMC ପକ୍ଷରୁ ବିଭିନ୍ନ ସାହି, ଗଳି ଓ ପ୍ରମୁଖ ରାସ୍ତାରେ ସଚେତନତା ପୋଷ୍ଟର ଲଗାଯାଇଛି। ଏଥିରେ ଖୋଲାରେ ଅଳିଆ ନ ପକାଇବା ଏବଂ ସଫେଇ ଗାଡ଼ିକୁ ହିଁ ବର୍ଜ୍ୟ ପ୍ରଦାନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି।
BMCର ଏହି ପଦକ୍ଷେପ ସହରର ପରିବେଶ ସୁରକ୍ଷା, ପରିମଳ ବ୍ୟବସ୍ଥାର ଉନ୍ନତି ଏବଂ ସ୍ୱଚ୍ଛ ଭୁବନେଶ୍ୱର ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି।
