SBI ରେ ଚାକିରି ନାଁରେ ବିଶାଳ ଠକେଇ: ଛତ୍ରପୁର ପୋଲିସ ଦ୍ୱାରା ନକଲି ନିଯୁକ୍ତି ରାକେଟ୍ର ପର୍ଦ୍ଦାଫାଶ, ଜଣେ ଗିରଫ
Ganjam (ଗଞ୍ଜାମ)ରିପୋର୍ଟ୍: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିAugust 19, 202617 views

ଛତ୍ରପୁର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ନିଶ୍ଚିତ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଏକ ନକଲି ନିଯୁକ୍ତି ରାକେଟ୍ର પର୍ଦ୍ଦାଫାଶ କରିଛି ଛତ୍ରପୁର ପୋଲିସ। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ବହୁ ପରିମାଣର ନକଲି ନିଯୁକ୍ତି ପତ୍ର, ଆଇଡି କାର୍ଡ ଓ ବ୍ୟାଙ୍କ ନଥିପତ୍ର ଜବତ କରାଯାଇଛି।
ମାମଲାର ପୃଷ୍ଠଭୂମି:
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ 'ପ୍ରମେୟ' ଦୈନିକ ସମ୍ବାଦପତ୍ରରେ ବିଜ୍ଞାପନ ଦେଇ ସରକାରୀ ଓ ବ୍ୟାଙ୍କ ଚାକିରି କରାଇଦେବାର ପ୍ରଲୋଭନ ଦେଖାଉଥିଲେ। ଜଣେ ଆଶାୟୀ ଯୁବକ ଏହି ବିଜ୍ଞାପନ ଦେଖି ତାଙ୍କ ସହ ଯୋଗାଯୋଗ କରିବା ପରେ, ପୋଷାକ (Uniform) ଏବଂ ସିକ୍ୟୁରିଟି ଡିପୋଜିଟ୍ ଆଦି ଭିନ୍ନ ଭିନ୍ନ ବାହାନାରେ କିସ୍ତି ଆକାରରେ ୫୦,୦୦୦ ଟଙ୍କା ନିଆଯାଇଥିଲା। ଟଙ୍କା ପାଇବା ପରେ ଅଭିଯୁକ୍ତ ଆହୁରି ଟଙ୍କା ଦାବି କରିବା ସହ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଥିଲେ।
ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍ ନଂ ୩୯୪ (ତାରିଖ: ୨୮.୦୬.୨୦୨୫), ଧାରା ୩୧୮(୪) BNS ଏବଂ ସେକ୍ସନ୍ ୬୬C/୬୬(D) IT ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ଗିରଫ ଅଭିଯୁକ୍ତ ଜଣକ ହେଲେ ପଞ୍ଚାନନ ପଣ୍ଡା (୪୨), ପିତା- ନାରାୟଣ ଚନ୍ଦ୍ର ପଣ୍ଡା। ଗ୍ରାମ- ନଦିଆଗାଁ, ଥାନା- ଧୂଷୁରୀ, ଜିଲ୍ଲା- ଭଦ୍ରକ (ବର୍ତ୍ତମାନ ରହଣି: ଓଲ୍ଡ ଟାଉନ୍, ଭୁବନେଶ୍ୱର)।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ୦୪ ଟି ମୋବାଇଲ୍ ଫୋନ୍
୬୧ ଟି ନକଲି ନିଯୁକ୍ତି ପତ୍ର ଓ ୨୬ ଟି ଫାଙ୍କା (Blank) ନିଯୁକ୍ତି ପତ୍ର ୨୫ ଟି ଚାକିରି ଆଶାୟୀଙ୍କ ନକଲି ପରିଚୟ ପତ୍ର (ID Card) ୦୯ ଟି ବିଜ୍ଞାପନ ଲେଟର ପ୍ୟାଡ୍ ଓ ୦୨ ଟି ଅଭିଯୁକ୍ତଙ୍କ ପରିଚୟ ପତ୍ର ୦୬ ଟି ବ୍ୟାଙ୍କ passbook, ୦୨ ଟି ATM କାର୍ଡ, ବାୟୋଡାଟା ନୋଟବୁକ୍ ଓ ପାସପୋର୍ଟ ସାଇଜ୍ ଫଟୋ ଜବତ କରାଯାଇ ଥିବାର ଜଣାଯାଏ।
ଓଡ଼ିଶା ପୋଲିସ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି ଯେ, ଟଙ୍କା ବଦଳରେ ସରକାରୀ କିମ୍ବା ବ୍ୟାଙ୍କ ଚାକିରିର ନିଶ୍ଚିତ ପ୍ରତିଶ୍ରୁତି ଦେଉଥିବା ବିଜ୍ଞାପନପ୍ରତି ସତର୍କ ରୁହନ୍ତୁ। ଚାକିରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସର୍ବଦା ସମ୍ପୃକ୍ତ ସଂସ୍ଥାର ଅଫିସିଆଲ୍ ୱେବସାଇଟ୍ରେ ଯାଞ୍ଚ କରନ୍ତୁ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ବ୍ୟକ୍ତିଗତ କାଗଜପତ୍ର ଦିଅନ୍ତୁ ନାହିଁ।
