ସହର ବିକାଶରେ ସ୍ୱଚ୍ଛତା ଓ ପାରଦର୍ଶିତାକୁ ପ୍ରାଥମିକତା
Nuapada (ନୂଆପଡ଼ା)ବିଜୟ ବରିହା, ନୂଆପଡାAugust 18, 202619 views

ଡୁଡା ସମୀକ୍ଷା ବୈଠକରେ ରାଜସ୍ୱ ଆଦାୟ, ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ା, ୧୮/୦୮: ନୂଆପଡ଼ା ଜିଲ୍ଲାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ ଓ ସୁସଂଗଠିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକରେ ସ୍ୱଚ୍ଛତା, ରାଜସ୍ୱ ଆଦାୟ, ସହର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ମଧୁସୂଦନ ଦାଶ ଗୁରୁତ୍ୱାରୋପ କରିଛନ୍ତି।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ ଯୋଜନା, ଆର୍ଥିକ ସ୍ଥିତି, ରାଜସ୍ୱ ଆଦାୟ, ସହରୀ ଭିତ୍ତିଭୂମି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ସରକାରୀ ପ୍ରକଳ୍ପଗୁଡ଼ିକରେ ସ୍ୱଚ୍ଛତା ଓ ପାରଦର୍ଶିତାକୁ କୌଣସି ପରିସ୍ଥିତିରେ ଅବହେଳା ନକରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସହର ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘମିଆଦୀ ଓ ସୁଚିନ୍ତିତ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତାହାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ। ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ସହ ଆବଶ୍ୟକ ସ୍ଥଳେ ଆଇନାନୁସାରେ ପଦକ୍ଷେପ ନେବାକୁ ମଧ୍ୟ ସେ କହିଥିଲେ।
ରାଜସ୍ୱ ଆଦାୟରେ ଗତି ଆଣିବା ଉପରେ ଗୁରୁତ୍ୱ
୨୦୨୬-୨୭ ଆର୍ଥିକ ବର୍ଷର ରାଜସ୍ୱ ଆଦାୟ ସମୀକ୍ଷା ବେଳେ ଖଡ଼ିଆଳ ଏନ୍ଏସିରେ ୫୧.୯୧ ଲକ୍ଷ ଟଙ୍କା, ନୂଆପଡ଼ା ଏନ୍ଏସିରେ ୪୧.୨୯ ଲକ୍ଷ ଟଙ୍କା ଏବଂ ଖରିଆର ରୋଡ୍ ଏନ୍ଏସିରେ ୫୮.୭୧ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ତଥ୍ୟ ଉପସ୍ଥାପିତ ହୋଇଥିଲା। ରାଜସ୍ୱ ଆଦାୟକୁ ଆହୁରି ତ୍ୱରାନ୍ୱିତ କରି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
୧୪୦ ପରିବାର ପାଇଲେ ନୂଆ ଘର
ପିଏମ୍ଏୱାଇ-୨.୦ ଯୋଜନା ଅଧୀନରେ ନୂଆପଡ଼ା ଏନ୍ଏସିରେ ୧୦୧ଟି ଏବଂ ଖରିଆର ରୋଡ୍ ଏନ୍ଏସିରେ ୩୯ଟି ନିର୍ମିତ ଗୃହର ଗୃହପ୍ରବେଶ କାର୍ଯ୍ୟକ୍ରମ ଗତ ଅଗଷ୍ଟ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।
ଏଥିସହ ପ୍ଲାଷ୍ଟିକ ନିଷେଧ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମର କଡ଼ାକଡ଼ି ପାଳନ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ ଏନ୍ଫୋର୍ସମେଣ୍ଟ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ନୂଆପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍ଆଇଏସ୍ କର୍ମଚାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

