ଶ୍ରମିକଙ୍କ ହକ୍ ପାଇଁ ବିଏମ୍ଏସ୍ର ଦାବିପତ୍ର ଅଙ୍ଗନୱାଡ଼ି-ଆଶାଙ୍କୁ କର୍ମଚାରୀ ମାନ୍ୟତା ସହ ସର୍ବନିମ୍ନ ମଜୁରୀ ୩୦ ହଜାର ଦାବି
Nuapada (ନୂଆପଡ଼ା)କଶ୍ୟପ ଜଗତAugust 18, 202660 views

ନୂଆପଡ଼ା: ଶ୍ରମିକ ଓ କର୍ମଚାରୀଙ୍କ ଦୀର୍ଘଦିନର ସମସ୍ୟା ଓ ବିଭିନ୍ନ ଦାବିର ସମାଧାନ ନେଇ ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ପକ୍ଷରୁ ଶ୍ରମିକଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଘୁବାସ ଚନ୍ଦ୍ର ରଇତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି।
ରାଞ୍ଚିଠାରେ ଅନୁଷ୍ଠିତ ବିଏମ୍ଏସ୍ର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ ଦେଶର ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହାପରେ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦିଆଯାଇଥିଲା।
ଏହି ଆହ୍ୱାନ ଅନୁଯାୟୀ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ବିଷ୍ଣୁ ରଞ୍ଜନ ସା, ଜିଲ୍ଲା ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ସଭାନେତ୍ରୀ ଲୋଭା ଲୁହାର, ଚନ୍ଦ୍ରକାନ୍ତି ଶବର ଓ ରଣଶ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଅଙ୍ଗନୱାଡ଼ି-ଆଶାଙ୍କୁ ମିଳୁ କର୍ମଚାରୀ ମାନ୍ୟତା
ବିଏମ୍ଏସ୍ ପକ୍ଷରୁ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ଦେବା ସହ ସମ୍ମାନଜନକ ଦରମା ପ୍ରଦାନ ପାଇଁ ଦାବି କରାଯାଇଛି। ଆଶା କର୍ମୀଙ୍କୁ ପ୍ରସୂତିକାଳୀନ ଛୁଟି ସହ ପୂର୍ଣ୍ଣ ମାନଦେୟ ପ୍ରଦାନ ଏବଂ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ମାନଦେୟ ବୃଦ୍ଧି କରିବାକୁ ମଧ୍ୟ ସଂଘ ଦାବି ରଖିଛି।
ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ‘ସମାନ କାମକୁ ସମାନ ଦରମା’ ଲାଗୁ କରିବା ଏବଂ ସର୍ବନିମ୍ନ ମଜୁରୀକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି।
ପେନସନ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ
ଇପିଏସ୍-୯୫ ଅଧୀନରେ ନ୍ୟୂନତମ ପେନସନ ବୃଦ୍ଧି ସହ ମହାଙ୍ଗାଭତ୍ତା ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହ ସଂଯୋଗ କରିବା ପାଇଁ ଦାବି କରାଯାଇଛି। ଇପିଏଫ୍, ଇଏସ୍ଆଇସି ଓ ବୋନସ୍ ଗଣନାରେ ଥିବା ସୀମାକୁ ଦ୍ୱିଗୁଣିତ କରିବା ସହ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ କରିବାକୁ ସଂଘ ଦାବି କରିଛି।
ସେହିପରି ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଜୁରୀ ବଦଳରେ ୩୦ ଦିନର ମଜୁରୀ ଆଧାରରେ କରିବାକୁ ମଧ୍ୟ ଦାବି ରହିଛି।
ଛଟେଇ ବନ୍ଦ ସହ ଶ୍ରମ ସଂହିତାରେ ସଂଶୋଧନ ଦାବି
ଶ୍ରମ ସଂହିତାରେ ଥିବା ଶ୍ରମିକବିରୋଧୀ ବ୍ୟବସ୍ଥାଗୁଡ଼ିକରେ ଆବଶ୍ୟକ ସଂଶୋଧନ କରିବା ସହ ଓଡ଼ିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ସମ୍ପୃକ୍ତ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାକୁ ବିଏମ୍ଏସ୍ ଦାବି କରିଛି।
ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ରାଧାକାନ୍ତ ବେହେରା, ବିଏମ୍ଏସ୍ ଜିଲ୍ଲା ମିଡିଆ ସେଲ୍ର ରାମନାଥ ପଣ୍ଡା, ଜାନକୀ ମାଝୀ, ଗୀତାଞ୍ଜଳି ବିଶି, ଜାନକୀ ମେହେର, ଷଷ୍ଠୀ ସାହୁ, ବଳଧର କେତକୀ, ଯଯାତି ମେହେର, ସଞ୍ଜୟ ନାୟକ, ପିଣ୍ଡୁ ହଂସ, ଆକାଶ କଟାଙ୍କଙ୍କ ସମେତ ଅଙ୍ଗନୱାଡ଼ି, ଆଶା, ମିଶନ ଶକ୍ତି, ମଣ୍ଡି ହେମାଳ, ପାଚିକା ସଂଘ ଓ ବିଏମ୍ଏସ୍ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ।
ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଉଚିତ ପାରିଶ୍ରମିକ ଓ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ସହ ଶ୍ରମର ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ବିଏମ୍ଏସ୍ ପକ୍ଷରୁ ଅନୁରୋଧ କରାଯାଇଛି।

