ତ୍ରିରଙ୍ଗା ମିଡିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଉଦ୍ଘାଟିତ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀAugust 18, 202656 views

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଜଳସେଚନ ପାଇଁ ୫୫୦ କୋଟିର ଯୋଜନା: ବିଧାୟକ
ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାସ୍ଥିତ ତ୍ରିରଙ୍ଗା ମିଡିଆ ଓ ସାମାଜିକ ସଂଗଠନର ନୂତନ କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ସାମ୍ବାଦିକମାନେ ସମାଜସେବୀ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି। ସାଧାରଣ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହାର ସମାଧାନ ଦିଗରେ ସେମାନେ ପ୍ରମୁଖ ଭୂମିକା ନିଭାଇଥାନ୍ତି। ସାମ୍ବାଦିକତା ସହ ସମାଜସେବାକୁ ଆଗେଇ ନେବା ପାଇଁ ଅନେକ ବ୍ୟକ୍ତି ଏହି ସଂଗଠନ ସହ ଯୋଡ଼ି ହୋଇଥିବାରୁ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଅନୁଯାୟୀ କାର୍ଯ୍ୟ କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ଭଞ୍ଜନଗର ନିର୍ବାଚନମଣ୍ଡଳୀର ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଜଳସେଚନ ପାଇଁ ପ୍ରାୟ ୫୫୦ କୋଟି ଟଙ୍କା ବ୍ୟୟ ହେବାକୁ ଥିବାବେଳେ ଏହାର ଡିପିଆର୍ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସହ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହେବା ପରେ କାମ ଆରମ୍ଭ ହେବ ବୋଲି ସେ କହିଥିଲେ।
ଭଞ୍ଜନଗର ଜଳଭଣ୍ଡାର ପ୍ରାୟ ୧୦୦ ବର୍ଷ ପୁରୁଣା ହୋଇଥିବାରୁ ଦୀର୍ଘଦିନ ଧରି ମାଟି ପୋତି ହୋଇ ଜଳଧାରଣ କ୍ଷମତା ହ୍ରାସ ପାଇଥିବା ବିଧାୟକ କହିଥିଲେ। ଜଳଭଣ୍ଡାରରୁ ମାଟି ବାହାର କରିବା ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟ ହେବ। ବାହାର କରାଯିବାକୁ ଥିବା ମାଟିକୁ ଆମେରିକାର ଏକ କମ୍ପାନୀ କିଣିନେବ ବୋଲି ସେ ସୂଚନା ଦେଇଥିଲେ।
ଭଞ୍ଜନଗର ବ୍ଲକ୍ର ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତ ୨ ସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ। ଏଥିସହ ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ୬ କୋଟିରୁ ୧୨ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯାଉଥିବା ସେ ସୂଚନା ଦେଇଥିଲେ।
କୃଷି ଓ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଅଞ୍ଚଳରେ ୨୦୦୦ଟି ବୋରୱେଲ୍ ଖନନ କରାଯିବା ସହ ହରିଗଡ଼ ଓ ଗେରେଡ଼ା ନିକଟରେ ଦୁଇଟି ଆନିକଟ୍ ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟ ହେବ ବୋଲି ବିଧାୟକ କହିଥିଲେ।
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଭଞ୍ଜନଗର ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଆଇନଜୀବୀ ତଥା ଭାଜପାର ବରିଷ୍ଠ ନେତା ବିଷ୍ଣୁ ପ୍ରସାଦ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଏବଂ ଅବସରପ୍ରାପ୍ତ ସୈନିକ ସଂଘ ସଭାପତି ମହେନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଉପଦେଷ୍ଟା ଧୀରେନ କୁମାର ସ୍ୱାଇଁ, ସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଉଦୟନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ଦଣ୍ଡପାଣି ପ୍ରଧାନ, ଉପସଭାପତି କେ. ହରି ସିଂହ, ଉପଦେଷ୍ଟା ସଞ୍ଜୀବ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନିନୀ ସ୍ୱାଇଁ ଓ କୋଷାଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ପ୍ରମୁଖ ସହଯୋଗ କରିଥିଲେ।
