ଆପ୍ ଡ୍ରାଇଭରଙ୍କ ୧୨ ଘଣ୍ଟିଆ ‘ଜିରୋ ସପ୍ଲାଇ’ ଆନ୍ଦୋଳନ: ରାଜ୍ୟରେ କ୍ୟାବ୍ ସେବା ପ୍ରଭାବିତ
Bhubaneswar (ଭୁବନେଶ୍ୱର)ସୁକାନ୍ତ ପ୍ରଧାନAugust 18, 20265 views

ଭୁବନେଶ୍ୱର: ୭ ଦଫା ଦାବି ନେଇ ଓଡ଼ିଶା ଅନଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ‘ଜିରୋ ସପ୍ଲାଇ’ ଆନ୍ଦୋଳନ ଆରମ୍ଭ ହୋଇଛି। ଅନଲାଇନ୍ ଆପ୍ ଭିତ୍ତିକ ଟ୍ୟାକ୍ସି ସେବା ପ୍ରଦାନ କରୁଥିବା ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ରାଜ୍ୟ ସରକାର ଓ ସମ୍ପୃକ୍ତ କମ୍ପାନୀଗୁଡ଼ିକ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
ଆନ୍ଦୋଳନକୁ ରାଜ୍ୟର ପ୍ରାୟ ୨୧ଟି ସଂଗଠନ ସମର୍ଥନ ଜଣାଇଥିବାରୁ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ଜିଲ୍ଲାରେ ଆପ୍ ଭିତ୍ତିକ କ୍ୟାବ୍ ସେବା ପ୍ରଭାବିତ ହୋଇଛି। ଫଳରେ ଦୈନନ୍ଦିନ ଯାତାୟାତ ପାଇଁ ଅନଲାଇନ୍ କ୍ୟାବ୍ ଉପରେ ନିର୍ଭରଶୀଳ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିବା ଦେଖାଯାଇଛି।
ଫୋରମ୍ର ପ୍ରମୁଖ ଦାବି ମଧ୍ୟରେ ରାଜ୍ୟ ସରକାର ଓ କ୍ୟାବ୍ କମ୍ପାନୀଙ୍କ ମିଳିତ ସହଯୋଗରେ ନିର୍ଦ୍ଦିଷ୍ଟ ଭଡ଼ା ଧାର୍ଯ୍ୟ କରିବା ରହିଛି। ଗ୍ରାହକଙ୍କୁ ଦିଆଯାଉଥିବା ଡିସକାଉଣ୍ଟର ଭାର କମ୍ପାନୀ ବହନ କରୁ ଏବଂ ଡ୍ରାଇଭରଙ୍କ ଆୟରୁ ଏହା କାଟି ନିଆ ନଯାଉ ବୋଲି ଦାବି କରାଯାଇଛି।
ସେହିପରି ବିନା ତଦନ୍ତରେ ବ୍ଲକ୍ କରାଯାଇଥିବା ଡ୍ରାଇଭରଙ୍କ ଆକାଉଣ୍ଟ ପୁନଃ ସଚଳ କରିବା, ମନଇଚ୍ଛା ଜୋରିମାନା ଆଦାୟ ବନ୍ଦ କରିବା, ଟ୍ରାଫିକ୍ ଜାମ୍ କିମ୍ବା ଗ୍ରାହକଙ୍କ ବିଳମ୍ବ ଯୋଗୁଁ ଅପେକ୍ଷା କରିବା ସମୟ ପାଇଁ ଉଚିତ୍ ୱେଟିଂ ଚାର୍ଜ ଦେବାକୁ ଡ୍ରାଇଭରମାନେ ଦାବି କରିଛନ୍ତି।
ଯାତ୍ରା ଆରମ୍ଭ ହେବା ପରେ ଗ୍ରାହକଙ୍କ ପକ୍ଷରୁ ରାଇଡ୍ ବାତିଲ୍ କରାଗଲେ ବାତିଲ୍ ଫି’ର ସମ୍ପୂର୍ଣ୍ଣ ଅଂଶ ଡ୍ରାଇଭରଙ୍କୁ ପ୍ରଦାନ କରିବା, ଓଡ଼ିଶାରେ ସମସ୍ତ ଆପ୍ ଭିତ୍ତିକ ଅପରେଟରଙ୍କ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ କରିବା ଏବଂ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ନୂଆ ଗାଡ଼ି ସଂଯୋଗ ଉପରେ ନିୟନ୍ତ୍ରଣ ଲଗାଇବାକୁ ମଧ୍ୟ ଫୋରମ୍ ଦାବି କରିଛି।
ଦୀର୍ଘଦିନ ଧରି ଡ୍ରାଇଭରମାନେ ଏହି ସମସ୍ୟାଗୁଡ଼ିକ ଉଠାଇ ଆସୁଥିବା ବେଳେ ଏହି ଧର୍ମଘଟ ମାଧ୍ୟମରେ ସରକାର ଓ କ୍ୟାବ୍ କମ୍ପାନୀଗୁଡ଼ିକ ଉପରେ ଚାପ ସୃଷ୍ଟି କରାଯାଇଛି। ଦାବିଗୁଡ଼ିକର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଫୋରମ୍ ପକ୍ଷରୁ ଚେତାବନୀ ଦିଆଯାଇଛି।
