ତାଳଚେର ବିକାଶରେ ଅର୍ଥ ପ୍ରତିବନ୍ଧକ ହେବନି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 18, 202648 views

ତାଳଚେର: ତାଳଚେର ପୌରପରିଷଦ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭଉଦ୍ଘାଟନ କରାଯାଇଛି। ତାଳଚେର ବସ୍ଷ୍ଟାଣ୍ଡଠାରେ ଆୟୋଜିତ ସମାବେଶରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।
ତାଳଚେରର ବିକାଶ ପାଇଁ ଅର୍ଥ କେବେ ବି ପ୍ରତିବନ୍ଧକ ହେବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ। ତାଳଚେରକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ସହ ୬୦୦ ଏକର ରାଣୀପାର୍କରେ ଚିଡ଼ିଆଖାନା ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ଦେଇଥିଲେ।
ଏଥିସହ ମଣ୍ଡାପାଳ ଛକରୁ ସନ୍ଥପଡ଼ା, ରାଜବାଟୀରୁ ନାଲକୋ ଏବଂ ଭୋଗବେରଣୀ ଷ୍ଟେସନରୁ ଥର୍ମାଲ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ସହ ତାଳଚେର-ଅନୁଗୋଳ ମଧ୍ୟରେ ନୂତନ ଯୋଗାଯୋଗ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତାଳଚେରର ବିକାଶ ପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟପକ୍ଷରେ, ଡିଏମ୍ଏଫ୍ରୁ ୨୫ କୋଟି ଓ ମୁଖ୍ୟମନ୍ତ୍ରୀ ସହରୀ ଯୋଜନାରୁ ୭ କୋଟି ଟଙ୍କା ବ୍ୟୟରେ ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ସୂଚନା ମିଳିଛି।
ସମାବେଶରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ, ଜିଲ୍ଲାପାଳ ଏମ୍. ଅଖତର, ଏସ୍ପି ରାହୁଲ ଜୈନଙ୍କ ସମେତ ପୌରପରିଷଦର ଅଧିକାରୀ, କାଉନସିଲର, ଯନ୍ତ୍ରୀ, କର୍ମଚାରୀ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ।
